ଅସହ୍ୟ ଶୀତରେ ଥରୁଛି ଓଡ଼ିଶା, ୧ ଡିଗ୍ରୀକୁ ଖସିଲା ପାରଦ

ଭୁବନେଶ୍ବର: ସାରା ରାଜ୍ୟରେ ଅସହ୍ୟ ଶୀତ । ସକାଳରୁ ରାତି ଘରୁ ବାହାରିବା ବି ମୁସ୍କିଲ । ସକାଳୁ କୁହୁଡି ଛାଡିବାକୁ ଦିନ ୯ଟା ହୋଇଯାଉଥିବା ବେଳେ ସନ୍ଧ୍ୟା ହେଉ ହେଉ ମାଡ଼ି ଆସୁଛି । କି ଦିନ, କି ରାତି କୋହଲା ପବନରେ ଥରିଯାଉଛି ଦେହ । ବିଶେଷକରି ଉପାନ୍ତ ଓ ପାହାଡିଆ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଛି । ଶୀତର ପ୍ରକୋପରେ ଶିମିଳିପାଳ ଅଭୟାରଣ୍ୟରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରହିଛି । ଅଭୟାରଣ୍ୟର କୋର ଇଲାକାର ଥିବା ଆପାର ବାରାହାକାମୁଡାରେ ସର୍ବନିମ୍ନ ତାପମାତ୍ରା ୧ ଡିଗ୍ରୀ ରେକର୍ଡ କରାଯାଇଥିବା ଶିମିଳିପାଳ କର୍ତ୍ତୃପକ୍ଷ ଏହି ସୂଚନା ଦେଇଛନ୍ତି ।
ଗତକାଲି ରାତିରେ ଶିମିଳିପାଳର ନଅଣାରେ ୪ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଥିବା ବେଳେ ଚହଲାରେ ୩ ଡିଗ୍ରୀ ରେକର୍ଡ କରାଯାଇଛି । ସେହିପରି ବରେହିପାଣିରେ ୫ ଡିଗ୍ରୀ ରେକର୍ଡ କରାଯାଇଥିବା ବେଳେ ଗୁଡୁଗୁଡିଆରେ ୬ ଡିଗ୍ରୀ ଓ ରାମତିର୍ଥରେ ୧୦ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଅନ୍ୟପକ୍ଷରେ ରାଜ୍ୟ ଆହୁରି ଶୀତ ବଢ଼ିବ ବୋଲି ପାଣିପାଗ କେନ୍ଦ୍ର ପକ୍ଷରୁ ୱାର୍ଣ୍ଣିଂ ଜାରି କରାଯାଇଛି । ଝାରସୁଗୁଡ଼ା, ସୁନ୍ଦରଗଡ଼ ଓ ଅନୁଗୋଳ ଜିଲ୍ଲାରେ ଶୀତ ଲହର ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଆସନ୍ତାକାଲି ଯାଏଁ ଏମିତି ସ୍ଥିତି ଲାଗି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।