ନୂଆଦିଲ୍ଲୀ: ବିଶିଷ୍ଟ ତବଲା ବାଦକ ଉସ୍ତାଦ ଜାକିର ହୁସେନଙ୍କ ପରଲୋକ । ୭୩ ବର୍ଷ ବୟସରେ ଆମେରିକାର ସାନ ଫ୍ରାନ୍ସିସ୍କୋର ଏକ ହସ୍ପିଟାଲ୍ରେ ପରଲୋକ ଘଟିଛି । କିଛିଦିନ ହେବ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଠିକ ନଥିବାରୁ ତାଙ୍କୁ ଉକ୍ତ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେ ହୃଦଜନିତ ଓ ରକ୍ତଚାପଜନିତ ସମସ୍ୟାର ସମ୍ମୁଖୀନ ହୋଇଥିଲେ । ପଦ୍ମଶ୍ରୀ, ପଦ୍ମ ଭୂଷଣ ଓ ପଦ୍ମ ବିଭୂଷଣ ଭଳି ସମ୍ମାନରେ ସମ୍ମାନୀତ ହୋଇଛନ୍ତି ।
ତାଙ୍କର ଅବର୍ତ୍ତମାନରେ ସଙ୍ଗୀତ ଜଗତରେ ଶୋକର ଲହରୀ ଖେଳିଯାଇଛି । ୩ ଥର ଗ୍ରାମୀ ପୁରସ୍କାର ପାଇଥିଲେ ସେ । ୧୯୮୮ରେ ପଦ୍ମଶ୍ରୀ, ୨୦୦୨ରେ ପଦ୍ମ ଭୂଷଣ ସମ୍ମାନ ପାଇଥିଲେ ଉସ୍ତାଦ ଜାକିର ହୁସେନ । ଭାରତୀୟ ଶାସ୍ତ୍ରୀୟ ସଙ୍ଗୀତ ଜଗତକୁ ତାଙ୍କର ଅତୁଳନୀୟ ଅବଦାନ ପାଇଁ ତାଙ୍କୁ ଭାରତ ସରକାର ୨୦୨୩ରେ ପଦ୍ମ ବିଭୂଷଣ ପ୍ରଦାନ କରିଥିଲେ । ୧୯୯୯ ମସିହାରେ ତାଙ୍କୁ ଆମେରିକାର ନ୍ୟାସନାଲ୍ ଆଣ୍ଡୋମେଣ୍ଟ ଫର୍ ଦି ଆର୍ଟ୍ସ ପକ୍ଷରୁ ନ୍ୟାସନାଲ୍ ହେରିଟେଜ୍ ଫେଲୋଶିପ୍ ପ୍ରଦାନ କରାଯାଇଥିଲା । ତାଙ୍କୁ କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଅନ୍ୟତମ ଶ୍ରେଷ୍ଠ ତବଲା ବାଦକ ଭାବେ ବିବେଚନା କରାଯାଏ ।
୧୯୫୧ ମସିହା ମାର୍ଚ୍ଚ ୯ରେ ମୁମ୍ବାଇରେ ଜନ୍ମ ଗ୍ରହଣ କରିଥିଲେ ଉସ୍ତାଦ ଜାକିର ହୁସେନ । ତାଙ୍କ ପିତା ଉସ୍ତାଦ୍ ଆଲ୍ଲା ରାଖା ମଧ୍ୟ ଦେଶର ଜଣେ ପ୍ରସିଦ୍ଧ ତବଲା ବାଦକ ଥିଲେ । ପିତାଙ୍କ ପଥ ଅନୁସରଣ କରି ଉସ୍ତାଦ୍ ଜାକିର ହୁସେନ୍ ସଙ୍ଗୀତକୁ ତାଙ୍କ କ୍ୟାରିୟର ଭାବରେ ବାଛିଥିଲେ ଓ ଏହାକୁ ମଧ୍ୟ ତାଙ୍କ ଜୀବନର ବ୍ରତ କରିଥିଲେ ।