Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦିଲ୍ଲୀ ସିବିଆଇରେ ହାଜର ହେବେ ବିଷ୍ଣୁପଦ

ଭୁବନେଶ୍ବର: ଭୁବନେଶ୍ବର ନୁହେଁ ଦିଲ୍ଲୀରେ ହାଜର ହୋଇପାରନ୍ତି IAS ବିଷ୍ଣୁପଦ ସେଠୀ । ଦିଲ୍ଲୀରେ ହାଜର ହେବା ନେଇ CBI ବିଷ୍ଣୁପଦ ଚିଠି ଲେଖିଥିବା ସୂଚନା ମିଳିଛି । ଦିଲ୍ଲୀରେ ହାଜର ହୋଇ ତଦନ୍ତରେ ସହଯୋଗ କରିବା ସହ ସମସ୍ତ ତଥ୍ୟ ରଖିବେ ବୋଲି ବିଷ୍ଣୁପଦ ଚିଠିରେ ଉଲ୍ଲେଖ କରିଛନ୍ତି । ଏଥିସହ ଭୁବନେଶ୍ୱରରେ ହାଜର ନ ହେବା ପାଇଁ ସେ ଚିଠି ଲେଖିଥିବା ଜଣାପଡ଼ିଛି ।

ବ୍ରିଜ ଆଣ୍ଡ ରୁଫ କମ୍ପାନୀ ଜିଜିଏମଙ୍କ ସହ ୧୫ ଲକ୍ଷ ଟଙ୍କା କାରବାର ମାମଲାରେ ବିଷ୍ଣୁପଦ ସେଠୀଙ୍କୁ ସମନ କରିଛି ସିବିଆଇ । ୧୦ ତାରିଖରେ ସମନ ଜାରି ହୋଇଥିବା ବେଳେ ୧୧ ତାରିଖରେ ହାଜର ପାଇଁ କୁହାଯାଇଥିଲା । ଏହା ମଧ୍ୟରେ ବିଷ୍ଣୁପଦଙ୍କ ତିନି ଡ୍ରାଇଭରଙ୍କୁ ସିବିଆଇ ଜେରା କରି ସାରିଛି । ଏହି ୩ଜଣ ଡ୍ରାଇଭରଙ୍କ ସମ୍ପର୍କୀୟଙ୍କ ମାଧ୍ୟମରେ ଲାଞ୍ଚ ଟଙ୍କା ନେଣଦେଣ ହେଉଥିବା ସିବିଆଇ ସନ୍ଦେହ କରୁଛି ।

ଗତ ୭ ତାରିଖରେ ଜୟଦେବ ବିହାର ଅଂଚଳରୁ ଏକ କାରରୁ ସିବିଆଇ ଅଫିସରମାନେ ୧୦ ଲକ୍ଷ ଟଙ୍କା ନଗଦ ଲାଞ୍ଚ ଟଙ୍କା ଜବତ କରିବା ସହ ୩ ଜଣଙ୍କୁ ଗିରଫ କରିବା ପରେ ଏହି ଟେଣ୍ଡର ଫିକ୍ସିଂର ନୂଆ ଦିଗ ପଦାକୁ ଆସିଛି । କେନ୍ଦ୍ରୀୟ ପିଏସୟୁ ବ୍ରିଜ ଆଣ୍ଡ ରୁଫ୍ କମ୍ପାନୀର ଜେନେରାଲ ମ୍ୟାନେଜର ଚଞ୍ଚଳ ମୁଖାର୍ଜୀଙ୍କ ସମେତ ଆଦିତ୍ୟ ଦେବ ଇନଫ୍ରାଷ୍ଟକର ପ୍ରାଃ ଲିଃର ଦେବଦତ୍ତ ମହାପାତ୍ର ଓ ପେଣ୍ଟା ଏ ଷ୍ଟୁଡ଼ିଓ ପ୍ରାଇଭେଟ୍ ଲିଃର ସନ୍ତୋଷ ମହାରଣାଙ୍କୁ ସିବିଆଇ ଗିରଫ କରିବା ପରେ ବିଷ୍ଣୁପଦଙ୍କ ସମ୍ପୃକ୍ତିର ପୁଳାପୁଳା ପ୍ରମାଣ ପାଇଛି ସିବିଆଇ । କେନ୍ଦ୍ରୀୟ ପିଏସୟୁଠୁ ‘ସବଲେଟ୍‌’ରେ ଏହି ଦୁଇ ବିଲଡର ସଂସ୍ଥା କିଭଳି କାର୍ଯ୍ୟ ପାଇବେ ସେ ନେଇ ସୁଚିନ୍ତିତ ରଣନୀତିରେ କାର୍ଯ୍ୟ କରାଯାଇଥିବାର ଅଭିଯୋଗ ହେଉଛି । ଯେଉଁଥି ପାଇଁ ଗତ ଅକ୍ଟୋବର ୧୯ ତାରିଖରେ ବିଷ୍ଣୁପଦ ନିଜେ ଅନୁସୂଚିତ ଜାତି ଓ ଜନଜାତି ବିଭାଗର ପ୍ରମୁଖ ସଚିବ ଭାବେ ୪ଟି କେନ୍ଦ୍ରୀୟ ପିଏସୟୁ ବ୍ରିଜ୍ ଆଣ୍ଡ ରୁଫ୍, ୱାପକୋସ, ଏନବିସିସି ଓ ସିଇଏଲ ସଂସ୍ଥାର ମୁଖ୍ୟଙ୍କୁ ଚିଠି ଲେଖି ରାଜ୍ୟ ସରକାରଙ୍କ ଅଧୀନରେ ଥିବା ଆବାସିକ ଆଶ୍ରମ ସ୍କୁଲର ଉନ୍ନୀତିକରଣ କାର୍ଯ୍ୟ କରିବା ସମ୍ପର୍କରେ ଅବଗତ କରାଇଥିଲେ । ଏହି ୪ଟି ସଂସ୍ଥାକୁ ମୋଟ ୩୬୧ କୋଟି ଟଙ୍କାର କାର୍ଯ୍ୟ କରିବା ନିମନ୍ତେ ପ୍ଲାନ୍ ଓ ଡିଜାଇନ୍ ପ୍ରସ୍ତୁତ କରି ବିଭାଗରେ ଦାଖଲ ନିମନ୍ତେ ମଧ୍ୟ ଚିଠିରେ ଉଲ୍ଲେଖ କରିଥିଲେ ।

ତେବେ ରାଜ୍ୟ ସରକାରଙ୍କ ନିଜସ୍ୱ ସଂସ୍ଥା ଯାହାର କି ଇଞ୍ଜିନିୟର୍ସ ଟିମ୍ ସହ ଆବଶ୍ୟକ ଜ୍ଞାନକୌଶଳ ଓ ଭିତ୍ତିଭୂମି ରହିଛି ସେମାନଙ୍କୁ ଏଡ଼ାଇ ଯାଇ ଏହି ନିର୍ଦ୍ଦିଷ୍ଟ କେନ୍ଦ୍ରୀୟ ପିଏସୟୁ କାର୍ଯ୍ୟ କରିବା ନିମନ୍ତେ କାହିଁକି ବିଷ୍ଣୁପଦ ବାଛିଥିଲେ, କାହିଁକି ଓପନ ଟେଣ୍ଡର କରି ନଥିଲେ, କାହା ନିର୍ଦ୍ଦେଶରେ ସେ ଏହି କାର୍ଯ୍ୟ ସମ୍ପୃକ୍ତ ସଂସ୍ଥାକୁ ବିନା ଟେଣ୍ଡରରେ ଟେକି ଦେଇଥିଲେ, ଏଥିପାଇଁ ସେ ସରକାରଙ୍କଠୁ ଅନୁମତି ଆଣିଥିଲେ କି ନାହିଁ, ଏସବୁ ଏବେ ପ୍ରଶ୍ନବାଚୀ ସୃଷ୍ଟି କରୁଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ