ପୁରୀ: ଗୋଟିଏ ଦିନର ବିରତି ପରେ ଆଜିଠୁ କୁଣି ଆରମ୍ଭ ହେବାକୁ ଯାଉଛି ରତ୍ନଭଣ୍ଡାର ମରାମତି କାମ । ଗତ ମଙ୍ଗଳବାର ଭିତର ରତ୍ନଭଣ୍ଡାରରେ ବନ୍ଧା ଯାଇଥିଲା ଲୁହାଭାରା । ଏଏସଆଇର ୧୫ରୁ ୨୦ ଜଣ କୁଶଳୀ ଶ୍ରମିକଙ୍କ ଦ୍ବାରା କାର୍ଯ୍ୟ ଆରମ୍ଭ କରାଯାଇଥିଲା । ଆଜି ଡି ପ୍ଲାଷ୍ଟରିଂ ଅର୍ଥାତ ଚୂନ ଛଡାଇ ପରିଷ୍କାର କରାଯିବ । ଦୈନିକ ୫ ଘଣ୍ଟା ମରାମତି କରିବାକୁ ଲକ୍ଷ୍ୟ ରଖାଯାଇଛି ।
ଛତିଶା ନିଯୋଗ ବୈଠକରେ ପ୍ରସ୍ତୁତ ନୀତି ନିର୍ଘଣ୍ଟ ଓ ରାଜ୍ୟ ସରକାରଙ୍କ ମାର୍ଗଦର୍ଶିକା ଅନୁଯାୟୀ ଦ୍ୱିତୀୟ ଭୋଗ ମଣ୍ଡପ ପରେ ଆରମ୍ଭ ହୋଇଥିଲା ଭିତର ଭଣ୍ଡାର ମରାମତି କାର୍ଯ୍ୟ । ଏକ୍ସପର୍ଟ ଟିମ୍ ସହ ଶ୍ରୀମନ୍ଦିର ବୈଷୟିକ ଟିମ୍, ଏଏସଆଇ ପୁରୀ ସର୍କଲ ଅଧିକାରୀମାନେ ମରାମତି କାର୍ଯ୍ୟର ଅନୁଧ୍ୟାନ କରିବେ । ମରାମତି କାର୍ଯ୍ୟରେ ଯେଉଁମାନେ ନିଯୁକ୍ତ ହୋଇଛନ୍ତି ସେମାନଙ୍କୁ ଶ୍ରୀମନ୍ଦିର ପ୍ରଶାସନ ତରଫରୁ ପରିଚୟପତ୍ର ପ୍ରଦାନ କରାଯାଇଛି । ମରାମତି ବେଳେ ଫାଟ ସୃଷ୍ଟି ହୋଇଥିବା ପଥର ଓ ବିମକୁ ଅପସାରଣ କରାଯିବ ।
ରତ୍ନଭଣ୍ଡାର ଚଟାଣରେ ଗ୍ରାନାଇଟ୍ ପଥର ମଧ୍ୟ ବିଛାଯିବ ବୋଲି ଏଏସଆଇ ଓଡିଶା ମୁଖ୍ୟ ଡି.ବି. ଗଡନାୟକ କହିଛନ୍ତି । ଅନ୍ୟପଟେ ମରାମତି ସମୟରେ ଭକ୍ତମାନେ ବାହାର କାଠରୁ ମହାପ୍ରଭୁଙ୍କ ଦର୍ଶନ କରିପାରିବେ । ଆସନ୍ତା ତିନିମାସ ଭିତରେ ଭିତର ରତ୍ନଭଣ୍ଡାର ମରାମତି ଶେଷ କରିବାକୁ ଲକ୍ଷ୍ୟ ରଖାଯାଇଛି । ଗତକାଲି ଦିବା ପହୁଡ଼ ନୀତି ଲାଗି ମରାମତି କାର୍ଯ୍ୟ ବନ୍ଦ ରହିଥିଲା ।