ଭୋରୁ ଭୋରୁ ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟ୍


ଭୁବନେଶ୍ବର: ବାରଙ୍ଗ ଥାନା ଅନ୍ତର୍ଗତ ନରାଜ ତଳଗଡ଼ ପିକଅପ ଭ୍ୟାଲିଠାରେ ଆଜି ସକାଳେ ଜଣେ ବ୍ୟବସାୟୀ ଲୁଟର ଶିକାର ହୋଇଛନ୍ତି । ଦୁର୍ବୃତ୍ତମାନେ ଜଣେ ପରିବା ବ୍ୟବସାୟୀଙ୍କୁ ବନ୍ଧୁକ ଦେଖାଇ ଲୁଟି ନେଇଛନ୍ତି ।

ସୂଚନାଯୋଗ୍ୟ, ସାନମୁଣ୍ଡଳୀ ଗ୍ରାମର ବସନ୍ତ ଲେଙ୍କା ନାମକ ଜଣେ ବ୍ୟବସାୟୀ କଟକ ଯାଉଥିବା ବେଳେ ତଳଗଡ଼ ଗ୍ରାମ ନିକଟସ୍ଥ ନରାଜ ପିକଅପ ଭ୍ୟାଲିଠାରେ କିଛି ଦୁର୍ବୁତ୍ତ ବ୍ୟବସାୟୀଙ୍କ ଗାଡ଼ିକୁ ଅଟକାଇବା ସହିତ ଟଙ୍କା ମାଗିଥିଲେ । ବ୍ୟବସାୟୀ ଜଣକ ଟଙ୍କା ନଦେବାରୁ ତାଙ୍କୁ ବନ୍ଧୁକ ଦେଖାଇ ତାଙ୍କ ପାଖରେ ଥିବା ୫ ହଜାର ଟଙ୍କା ଛଡାଇ ନେଇ ଚମ୍ପଟ ମାରିଥିଲେ । ଘଟଣାସ୍ଥଳରେ ବାରଙ୍ଗ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସେପଟେ ତିନି ଦିନରେ ତିନି ଜଣ ବ୍ୟବସାୟୀଙ୍କଠାରୁ ସମାନ ଢଙ୍ଗରେ ବନ୍ଧୁକ ଦେଖାଇ ଲୁଟ ହୋଇଥିବା ଜଣାପଡିଛି । ପୋଲିସର ପାଟ୍ରୋଲିଂ ସତ୍ତ୍ୱେ କେମିତି ଲୁଟ ହେଉଛି ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି ।