ବାଲେଶ୍ବର: ଲୁଗା ଦୋକାନରୁ ଚୋରି ଅଭିଯୋଗରେ ଯୁବକକୁ ପିଟି ପିଟି ମାରି ଦେବା ଘଟଣା । ଦାୟିତ୍ୱରେ ଅବହେଳା ଅଭିଯୋଗରେ ସାର୍ଥା ଫାଣ୍ତି ଅଧିକାରୀ ଚନ୍ଦ୍ରଶେଖର ମହାନ୍ତି ନିଲମ୍ବିତ । ନିଲମ୍ବନ କଲେ ବାଲେଶ୍ୱର ଏସ୍ପି ।
ସୂଚନାଯୋଗ୍ୟ, ସିଂଲା ଥାନା ଅନ୍ତର୍ଗତ ସାର୍ଥା ଗ୍ରାମରେ ଗତ ୨୨ ତାରିଖରେ ଘଟଣା ଘଟିଥିଲା । ଦିନ ଦ୍ୱିପ୍ରହରରେ ଏପରି ଅଭାବନୀୟ କାଣ୍ଡ ଫାଣ୍ଡିଠୁ ମାତ୍ର ୫ ଶହ ମିଟର ଦୂରରେ ଘଟିଥିଲା । ଏନେଇ ପରିବାର ଲୋକେ ଫାଣ୍ଡି ଅଧିକାରୀ ଚନ୍ଦ୍ରଶେଖର ମହାନ୍ତିଙ୍କୁ ସୂଚନା ଦେବା ସହ ତୁରନ୍ତ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିବାକୁ ଗୁହାରୀ କରିଥିଲେ । ମାତ୍ର ଫାଣ୍ଡି ଅଧିକାରୀ ଏହାକୁ କର୍ଣ୍ଣପାତ କରି ନଥିଲେ । ଫଳରେ ଖୁଣ୍ଟରେ ବନ୍ଧା ହୋଇଥିବା ଅବସ୍ଥାରେ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩ ଜଣ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ।
କିଛିଦିନ ପୂର୍ବେ ସାର୍ଥା ଗ୍ରାମର ଅଜୟ ଦାସଙ୍କ ଲୁଗା ଦୋକାନରୁ ଚୋରି ହୋଇଥିଲା । ଏନେଇ ସେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ ଚୋରମାନଙ୍କର କୌଣସି ସନ୍ଧାନ ମିଳି ନଥିଲା । ଗତ ୨୨ ତାରିଖରେ ଅଜୟ ଏବଂ ତାଙ୍କ ଦୁଇ ପୁଅ ଦୋକାନରୁ ଚୋରି କରିଥିବା ସନ୍ଦେହରେ ଗ୍ରାମର ତ୍ରିଲୋଚନ ପ୍ରଧାନ, ସତିଶ ସିଂ, ଭାନୁ ପ୍ରଧାନ ଏବଂ ତପୁ ମହାନ୍ତିଙ୍କୁ ଘରୁ ଡାକି ଆଣିଥିଲେ । ସେମାନଙ୍କୁ ରାସ୍ତା ପାର୍ଶ୍ୱରେ ଥିବା ଇଲେକ୍ଟ୍ରି ଖୁଣ୍ଟିରେ ବାନ୍ଧି ଲୁହା ରଡ ଓ କାଠ ଫାଳିଆରେ ନିସ୍ତୁକ ପିଟିଥିଲେ । ଛାଡ଼ିବାକୁ କାକୁତିମିନତି ହେଲେ ବି ସେମାନେ କର୍ଣ୍ଣପାତ କରି ନଥିଲେ । ପ୍ରବଳ ମାଡ଼ ଯୋଗୁଁ ଘଟଣାସ୍ଥଳରେ ତ୍ରିଲୋଚଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୩ ଜଣ ଗୁରୁତର ହୋଇ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି ।