ମହିଳା କନଷ୍ଟେବଳଙ୍କୁ ହତ୍ୟା କରି ସ୍ବାମୀଙ୍କ ଆତ୍ମହତ୍ୟା ଉଦ୍ୟମ


କଟକ: କଟକ ସାଇବର ଥାନାର ମହିଳା କନଷ୍ଟେବଳଙ୍କୁ ତାଙ୍କ ସ୍ବାମୀ ହତ୍ୟା କରିବା ପରେ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ଗୁରୁତର ଅବସ୍ଥାରେ ତାଙ୍କୁ କଟକ ବଡ଼ ମେଡିକାଲରେ ଭର୍ତ୍ତି କରାଯାଇଛି । ମୃତ ମହିଳା ଜଣଙ୍କ ହେଲେ ବିଷ୍ଣୁପ୍ରିୟା ମଲ୍ଲିକ । ତାଙ୍କ ସ୍ୱାମୀଙ୍କ ନାଁ ବିଶ୍ୱଜିତ ମଲ୍ଲିକ । ୨୦୧୯ରେ ସେମାନେ ପ୍ରେମ ବିବାହ କରିଥିଲେ । ସେମାନଙ୍କର ଏକ ଛୋଟ ଝିଅ ଅଛି । ସେମାନେ କଟକ ସିଦ୍ଧେଶ୍ୱର ସାହିରେ ଭଡ଼ାରେ ରହୁଥିଲେ ।

ଗତକାଲି ଅପରାହ୍ନରେ କୌଣସି କଥାକୁ ନେଇ ବିଷ୍ଣୁପ୍ରିୟା ଓ ବିଶ୍ୱଜିତଙ୍କ ମଧ୍ୟରେ ପ୍ରବଳ ପାଟିତୁଣ୍ଡ ହୋଇଥିଲା । ଏଥିରେ ଉତକ୍ଷିପ୍ତ ବିଶ୍ୱଜିତ ବିଷ୍ଣୁପ୍ରିୟାଙ୍କୁ ଛୁରୀରେ ଆକ୍ରମଣ କରିଥିଲେ । ବିଷ୍ଣୁପ୍ରିୟାଙ୍କ ଚିତ୍କାର ଶୁଣି ପଡ଼ୋଶୀମାନେ ଧାଇଁ ଆସିଥିଲେ । ସେମାନେ ବିଶ୍ୱଜିତଙ୍କୁ ଅଟକାଇ ଥିଲେ । ହେଲେ ସେତେବେଳକୁ ବିଷ୍ଣୁପ୍ରିୟାଙ୍କ ଜୀବନ ଯାଇ ସାରିଥିଲା । ପରେ ବିଶ୍ୱଜିତ ସେହି ଛୁରୀରେ ନିଜ ବେକ କାଟି ଭିତରୁ କବାଟ ବନ୍ଦ କରି ଦେଇଥିଲେ । ଲୋକଙ୍କଠାରୁ ଖବର ପାଇ ପୋଲିସ ସେଠାରେ ପହଞ୍ଚି ବିଶ୍ୱଜିତଙ୍କୁ ଉଦ୍ଧାର କରି ଏସସିବିକୁ ପଠାଇଥିଲା । ତାଙ୍କ ଅବସ୍ଥା ଗୁରୁତର ଅଛି । ଲାଲବାଗ ପୋଲିସ ସାଇଣ୍ଟିଫିକ୍ ଟିମ୍ ସହ ଘଟଣାସ୍ଥଳ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ କରୁଛି ।