ଢେଙ୍କାନାଳ: ତିନି ବର୍ଷରେ ବାଘ ସଂଖ୍ୟା ହୋଇଛି ଡବଲ । ଥିଲେ ୬ ଏବେ ହୋଇଛି ୧୨ । ଏମିତି ଖୁସି ଖବର ଆସିଛି ଢେଙ୍କାନାଳ ଜିଲ୍ଲାରୁ । ୨୦୨୧ ମସିହାରେ ଢେଙ୍କାନାଳର ବିଭିନ୍ନ ଜଙ୍ଗଲରେ ୬ଟି କଲରାପତରିଆ ବାଘ ଥିବା ଗଣନା କରାଯାଇଥିଲା । ଏହା ଏବେ ବୃଦ୍ଧି ପାଇଁ ୧୨ରେ ପହଞ୍ଚିଛି । ଯାହା ଜଙ୍ଗଲ ବିଭାଗ ସହ ପରିବେଶବିତଙ୍କ ମଧ୍ୟରେ ଆନନ୍ଦ ଖେଳାଇ ଦେଇଛି ।
ହେଲେ ଢେଙ୍କାନାଳ ବନଖଣ୍ଡରେ ଶିକାରୀଙ୍କ ଦୌରାତ୍ମ୍ୟ ବଢ଼ିବା ବନ ବିଭାଗ ପାଇଁ ଚିନ୍ତାର କାରଣ ପାଲଟିଛି । କିଛି ଦିନରେ ଦୁଇ ଦୁଇଟି ବାଘ ମୃତ୍ୟୁ ବନ ବିଭାଗର ଚ୍ୟାଲେଞ୍ଜକୁ ବଢ଼ାଇ ଦେଇଛି । ଛାଲ ପାଇଁ ବିଦ୍ୟୁତ ତାର ବିଛାଇ ବାଘ ଶିକାର କରୁଛନ୍ତି ଶିକାରୀ ।
ପୂର୍ବରୁ ହିନ୍ଦୋଳ କୋଇ ରିଜର୍ଭ ଫରେଷ୍ଟରେ ଶିକାରୀଙ୍କ ଦ୍ୱାରା ବିଛା ଯାଇଥିବା ବିଦ୍ୟୁତ ଫାଶରେ ପଡି ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା । ସେହିଭଳି ଦୁଦୁରକୋଟ ଗାଁ ଜଙ୍ଗଲରେ ମଧ୍ୟ ଅନ୍ୟ ଏକ କଲରାପତରିଆ ବାଘର ମୃତ୍ୟୁ ହୋଇଥିଲା । ନିକଟରେ ଢେଙ୍କାନାଳ-କେନ୍ଦୁଝର ସୀମାନ୍ତ ମହାବିରୋଡ ରେଞ୍ଜରେ ଶିକାରୀଙ୍କ ତାର ଜାଲରେ ପଡିଥିବା ଏକ କଲରାପତରିଆ ବାଘକୁ ମୁର୍ମୁଷ ଅବସ୍ଥାରେ ଉଦ୍ଧାର କରାଯାଇଥିଲା । ବନବିଭାଗ ପକ୍ଷରୁ ବାଘଙ୍କ ସୁରକ୍ଷା ପାଇଁ ସଠିକ ଭାବେ ପାଟ୍ରୋଲିଂ କରାଯାଉ ନଥିବାରୁ ବାଘ ବଂଶ ବିପଦରେ ଥିବା ପରିବେଶବିତ ଅଭିଯୋଗ କରିଛନ୍ତି ।