ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର


ଗଞ୍ଜାମ: ଉଭୟ ବିବାହ କରିଥିଲେ । ଉଭୟଙ୍କର ତିନିଟି ଲେଖାଏଁ ପିଲା ଅଛନ୍ତି । ହେଲେ ପରିବାର ଓ ପିଲା ଥାଉ ଥାଉ ଉଭୟ ଉଭୟଙ୍କୁ ମନ ଦେଇ ବସିଥିଲେ । ଆଉ ଏହି ପ୍ରେମ ପାଇଁ ଉଭୟ ଜୀବନ ବି ହାରିଲେ । ଝୁଲନ୍ତା ଅବସ୍ଥାରେ ପ୍ରେମୀଯୁଗଳଙ୍କ ମୃତଦେହ କରାଯାଇଛି ଉଦ୍ଧାର । ଗତ ୧୯ ତାରିଖରୁ ଉଭୟ ନିଖୋଜ ଥିଲେ । ଘଟଣା ଘଟିଛି ଗଞ୍ଜାମ ଜିଲ୍ଲାରେ ।

ବ୍ରହ୍ମପୁର ସଦର ଥାନା ଅଲାରିଗଡ ଗାଁ ନିକଟ ପାହାଡ ଉପରୁ ପ୍ରେମୀ ଯୁଗଳଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ମୃତକ ମହିଳା ଓ ପୁରୁଷ ଉଭୟ ପାଟପୁର ଥାନା ଅଞ୍ଚଳର ବୋଲି ଜଣାପଡିଛି । ଉଭୟ ନିଖୋଜ ଥିବା ନେଇ ପାଟପୁର ଥାନାରେ ଅଭିଯୋଗ ହୋଇଥିଲା । ଆଜି ସକାଳୁ ଅଲାରିଗଡ ଗାଁ ନିକଟ ପାହାଡ ଉପରୁ ଉଭୟଙ୍କ ଝୁଲନ୍ତା ମୃତଦେହ ଠାବ ହୋଇଛି । ଘଟଣାସ୍ଥଳରେ କୀଟନାଶକ, ରସି ଓ ଛୁରି ପଡ଼ିଥିବା ଦେଖିବାକୁ ମଳିଛି ।

ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଶବ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଏହାସହ ଏକ ଅପମୃତ୍ୟୁ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।