ଭୁବନେଶ୍ବର: ୨୦୨୫ ମହିଳାଙ୍କ ପାଇଁ ଆଣୁଛି ଖୁସି । କାରଣ ସୁଭଦ୍ରା ଯୋଜନାରେ ମହିଳା ୨୦୨୫ରେ ତିନି ଥର ସୁଭଦ୍ରା ଟଙ୍କା ପାଇବେ । ଏନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ସୂଚନା ଦେଇଛନ୍ତି । ଆସନ୍ତା ବର୍ଷ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିସହ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ମହିଳାଙ୍କୁ ଦ୍ବିତୀୟ ଓ ତୃତୀୟ କିସ୍ତି ଟଙ୍କା ମିଳିବ ।
୫ ଲକ୍ଷ ୧୧ ହଜାର ମହିଳାଙ୍କ KYCରେ ତ୍ରୁଟି ଥିବାରୁ ତାହାକୁ ସୁଧାରିବାକୁ ଡିସେମ୍ବର ଶେଷ ପର୍ଯ୍ୟନ୍ତ ସୁଯୋଗ ଦିଆଯାଇଥିଲା । ଆଜି ଫିଲ୍ଡ ରିପୋର୍ଟ ଆସିବ । ଜାନୁଆରୀ ପ୍ରଥମ ସପ୍ତାହରେ ସମ୍ପୂର୍ଣ୍ଣ ସର୍ଭେ ସରିବ । ଏହାପରେ ରିପୋର୍ଟ ଅନୁସାରେ ପଦକ୍ଷେପ ନିଆଯିବ । ଏଥିସହ ଆସନ୍ତା ବର୍ଷ ପାଇଁ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ଦୁଇ ଥର ମିଳିବ ସୁଭଦ୍ରା ଟଙ୍କା । ତେଣୁ ଆସନ୍ତା ବର୍ଷ ମହିଳାମାନେ ସମୁଦାୟ ୩ ଥର ସୁଭଦ୍ରା ଟଙ୍କା ପାଇବେ ।
ସୂଚନାଯୋଗ୍ୟ, ହିତାଧୀକାରୀଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳି ସାରିଛି । ଡିସେମ୍ବର ୨୫ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି ଚର୍ଚ୍ଚା ହେଉଥିଲା । ତେବେ ଯାଞ୍ଚ ଚାଲିଥିବାରୁ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ଡିସେମ୍ବରରେ ମିଳିବ ନାହିଁ ବୋଲି ଉପମୁଖ୍ୟମନ୍ତ୍ରୀ ସ୍ପଷ୍ଟ କରିଥିବା ବେଳେ ଏହା ୨୦୨୫ ମସିହାରେ ମିଳିବ ବୋଲି କହିଛନ୍ତି ।