ନୂଆଦିଲ୍ଲୀ: ୨୦୨୪କୁ ଅଭୁଲା ସ୍ମୃତି କରିବା ସହ ଇତିହାସ ରଚିବାକୁ ଯାଉଛି ଭାରତ । ଆଜି ସ୍ପେଶ୍ ଡକିଂ ଏକ୍ସପେରିମେଣ୍ଟ ବା ସ୍ପେଡେକ୍ସ ମିଶନ୍ ଲଞ୍ଚ କରିବ ଇସ୍ରୋ । ରାତି ୯ଟା ୫୮ରେ PSLV-C60 ରକେଟ୍ ସାହାଯ୍ୟରେ ଏହାକୁ ଉତକ୍ଷେପଣ କରାଯିବ ।
ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ସ୍ପେଶ ସେଣ୍ଟରର ପ୍ରଥମ ଲଞ୍ଚ ପ୍ୟାଡରୁ ମହାକାଶକୁ ଯିବ ୨ଟି ସ୍ପେଶକ୍ରାଫ୍ଟ । ୨୨୦ କିଲୋଗ୍ରାମ ଓଜନ ବିଶିଷ୍ଟ ଚେଜର୍ ଓ ଟାର୍ଗେଟ୍ ସ୍ପେଶକ୍ରାଫ୍ଟକୁ ମହାକାଶରେ ଯୋଡ଼ିବ ଇସ୍ରୋ । ଏହାକୁ କୁହାଯାଉଛି ଇନସ୍ପେଶ୍ ଡକିଂ । ଭୂପୃଷ୍ଠରୁ ୪୭୦ କିମିର ଉଚ୍ଚତାରେ ଏକ ବୃତ୍ତାକାର କକ୍ଷପଥରେ ଦୁଇଟି ଯାକ ସ୍ପେଶକ୍ରାଫ୍ଟ ବୁଲୁଥିବା ବେଳେ, ଏହାକୁ ଡକିଂ ଓ ଅନଡକିଂ କରାଯିବ । ଏଥିସହ ଅନଡକିଂ ପୂର୍ବରୁ ଦୁଇଟି ସ୍ପେଶକ୍ରାଫ୍ଟ ମଧ୍ୟରେ ବିଦ୍ୟୁତ ଶକ୍ତି ଆଦାନ ପ୍ରଦାନ ହେବ ।
ଏହା ଏକ ଜଟିଳ ପ୍ରକ୍ରିୟା ହୋଇଥିବା ବେଳେ, ଏଥିପାଇଁ ସ୍ୱଦେଶୀ ଜ୍ଞାନକୌଶଳ ଉପଯୋଗ କରିବ ଇସ୍ରୋ । ମିଶନ ସଫଳ ହେଲେ ଆମେରିକା, ରୁଷ ଓ ଚୀନ୍ ପରେ ଅନ୍ତରୀକ୍ଷ ଡକିଂ କରିବାରେ ଭାରତ ଚତୁର୍ଥ ଦେଶ ପାଲଟିବ । ଚନ୍ଦ୍ରଯାନ-୪ ଏବଂ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ସ୍ଥାପନରେ ଏହି ଟେକ୍ନୋଲଜି ସହାୟକ ହେବ। ୨୦୩୫ ସୁଦ୍ଧା ମହାକାଶରେ ଭାରତୀୟ ଅନ୍ତରୀକ୍ଷ ଷ୍ଟେସନ ନିର୍ମାଣ ପାଇଁ ଟାର୍ଗେଟ ଦେଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ତେବେ କେବଳ ଏତିକି ନୁହେଁ, PSLV-C60 ରକେଟର ଚତୁର୍ଥ ଷ୍ଟେଜ ପଏମ୍-4 ମଡ୍ୟୁଲରେ ୨୪ଟି ପେଲୋଡ୍ ମହାକାଶକୁ ପଠାଇବ ଇସ୍ରୋ । ଏହି ଯନ୍ତ୍ର ଗୁଡ଼ିକ ସହାୟତାରେ ମହାକାଶରେ ଝୁଡ଼ଙ୍ଗ ମଞ୍ଜି ଗଜା କରାଯିବ, ପାକସ୍ଥଳୀ ଓ ଅନ୍ତନଳୀର ଜୀବାଣୁ ବଂଶବୃଦ୍ଧି ଅନୁଧ୍ୟାନ କରାଯିବ, ଶାଗ ପତ୍ରରେ ଉଦ୍ଭିଦ କୋଷର ବିକାଶ ଅନୁଧ୍ୟାନ କରାଯିବ । ଏଥିସହ ପଏମ୍ ଏକ୍ସପେରିମେଣ୍ଟରେ ୱାକିଂ ରୋବଟ୍ ଆର୍ମ ଏବଂ ମହାକାଶରୁ ବର୍ଜ୍ୟ ସଂଗ୍ରହ ପାଇଁ ରୋବଟ୍ ମଧ୍ୟ ପରୀକ୍ଷଣ କରାଯିବ ।