ଭୁବନେଶ୍ବର: ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତି ଏବଂ ରାଜ୍ୟରେ ଅଦିନିଆ ବର୍ଷା ଫସଲ ଉଜାଡି ଦେଇଛି । ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ପାଇଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପଳନ କରାଯାଉଛି । ଆଉ ଫସଲ ଉଜୁଡି ଯାଇଥିବାରୁ ରାଜ୍ୟର ଚାଷୀଙ୍କ ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି । ଏମିତି ସ୍ଥିତିରେ ନୂଆବର୍ଷ ପାଳନ ନକରିବାକୁ ମୁଖ୍ୟମନ୍ତ୍ରୀ ମାହନ ମାଝୀ ନିଷ୍ପତ୍ତି ନେଇଛନ୍ତି । ସେହିପରି ଉମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ନୂଆବର୍ଷ ପାଳନ କରିବେ ନାହିଁ ବୋଲି କହିଛନ୍ତି ।
ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଏହି ସୂଚନା ଦିଆଯାଇଛି । ଏଥିରେ କୁହାଯାଇଛି ଆସନ୍ତା ଇଂରାଜୀ ନୂଆବର୍ଷ ଉପଲକ୍ଷେ ମୁଖ୍ୟମନ୍ତ୍ରୀ ମାଝୀ କୌଣସି ଉତ୍ସବ ଓ ଅଭିନନ୍ଦନ କାର୍ଯ୍ୟକ୍ରମରେ ଯୋଗଦେବେ ନାହିଁ । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହଙ୍କ ଦେହାନ୍ତ ଯୋଗୁଁ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ସେହିପରି ଅଦିନିଆ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ଚାଷୀଙ୍କ ଫସଲହାନି ହୋଇଛି । ତେଣୁ ଶୁଭେଚ୍ଛୁ ଓ ହିତାକାଂକ୍ଷୀମାନେ ନବବର୍ଷରେ କୌଣସି ପ୍ରକାରର ଫୁଲତୋଡ଼ା ଓ ଉପହାର ସାଙ୍ଗରେ ଧରି ନଆସିବାକୁ ମୁଖ୍ୟମନ୍ତ୍ରୀ ଅନୁରୋଧ କରିଛନ୍ତି।
ସେହିପରି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ନୂଆବର୍ଷ ପାଳିବେ ନାହିଁ ବୋଲି ସୂଚନା ଦେଇଛନ୍ତି । ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂଙ୍କ ପରଲୋକ ପାଇଁ ଦେଶରେ ୭ ଦିନିଆ ରାଷ୍ଟ୍ରୀୟ ଶୋକ ପାଳନ କରାଯାଉଛି । ଏହି ରାଷ୍ଟ୍ରୀୟ ଶୋକକୁ ସମ୍ମାନ ଜଣାଇ ସରକାରୀ ନିୟମ ଅନୁସାରେ କୌଣସି ପ୍ରକାରର ଉତ୍ସବ ପାଳନ କରାଯିବ ନାହିଁ ବୋଲି ନିଷ୍ପତ୍ତି ନିଆଯାଇଛି । ତେଣୁ ନବବର୍ଷରେ ତାଙ୍କ ନିକଟକୁ କୌଣସି ପ୍ରକାରର ଉପହାର ନେଇ ନଆସିବାକୁ ସେ ଅନୁରୋଧ କରିଛନ୍ତି ।