ଦଶମ ପରୀକ୍ଷା ଦେବାକୁ ସରକାରଙ୍କୁ ଅନୁରୋଧ କଲେ ୭ମ ଶ୍ରେଣୀ ଛାତ୍ର କୌସ୍ତଭ


ଗଞ୍ଜାମ: ୭ମ ଶ୍ରେଣୀରେ ପଢୁଛନ୍ତି । ହେଲେ ଦଶମ ଶ୍ରେଣୀ ପାଠକୁ ଅନାୟସରେ ସମାଧନ କରି ଦେଉଛନ୍ତି । ଜଟିଳ ଗଣିତର ସମାଧାନ ହେଉ କି ସାହିତ୍ୟ, ଇତିହାସ, ଭୂଗୋଳ ଓ ଇଂରାଜୀ ଯାହା ବି ପ୍ରଶ୍ନ ପଚାରିଲେ ଚଟାପଟ ଦେଉଛନ୍ତି ଉତ୍ତର । ଏମିତି ତୀକ୍ଷ୍ନ ବୁଦ୍ଧିମତାର ଅଧିକାରୀ ଏହି ବିଓ୍ମୟ ବାଳକ ହେଲେ ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର କୌସ୍ତଭ । ଆଗାମୀ ଦଶମ ଶ୍ରେଣୀ ପରୀକ୍ଷା ଦେବା ପାଇଁ ତାଙ୍କର ରହିଛି ପ୍ରବଳ ଆଗ୍ରହ । ଏଥିପାଇଁ ସେ ସରକାରଙ୍କ ଅନୁମତି ଲୋଢ଼ିଛନ୍ତି ।

ଗଞ୍ଜାମ ଜିଲ୍ଲା ଆସିକା ଅଞ୍ଚଳର ଏକ ଘରୋଇ ସ୍କୁଲର ସପ୍ତମ ଶ୍ରେଣୀର ପଢ଼ୁଛନ୍ତି କୌସ୍ତଭ । ନିଜର ପ୍ରଖର ବୁଦ୍ଧିମତା ପାଇଁ ଏହି ୧୨ ବର୍ଷର ବାଳକ ଏବେ ଚର୍ଚ୍ଚାରେ । ଆସିକା ଏନଏସିର ବାଣୀବିହାରରେ ରହୁଥିବା କୌସ୍ତଭଙ୍କ ବାପା ଜଣେ ଧ୍ୟାନ ସିଦ୍ଧ ହୋଇଥିବା ବେଳେ ମାଆ ଗୃହିଣୀ । ପିଲାଟି ଦିନରୁ କୌସ୍ତଭଙ୍କର ପାଠପଢ଼ା ପ୍ରତି ଅହେତୁକ ଦୁର୍ବଳତା ରହିଛି । ବାପାଙ୍କ ନିକଟରୁ ଧ୍ୟାନ ଓ ଏକାଗ୍ରତା ଶିଖିଥିବା କୌସ୍ତଭ ପାଠକୁ ବି ଖୁବ୍‌ ସହଜରେ ମନେ ରଖି ପାରୁଛନ୍ତି । ଫଳରେ ବିନା କୌଣସି ଚାପରେ ଖୁସିରେ ଖୁସିରେ ସେ ଦଶମ ଶ୍ରେଣୀ ସିଲାବସ୍‌ର ସମସ୍ତ ପାଠ ଶେଷ କରି ସାରିଲେଣି । ଏହା ଅବିଶ୍ୱାସନୀୟ ଲାଗୁଥିଲେ ମଧ୍ୟ ନିରାଟ ସତ । ସାହିତ୍ୟ, ବିଜ୍ଞାନ, ଭୂଗୋଳ ବିଶେଷ ଭାବେ ଗଣିତର ସମସ୍ତ ପ୍ରଶ୍ନର ଉତ୍ତର ତାଙ୍କ ମୁହଁରେ । ଏହା ଅନ୍ୟମାନଙ୍କୁ ଚକିତ କରୁଥାଇ ପାରେ କିନ୍ତୁ କୌସ୍ତଭଙ୍କ ପାଇଁ ଏହା ସାଧାରଣ କଥା ।

କୌସ୍ତଭଙ୍କ ପରିବାର ଲୋକେ ତାଙ୍କ ପୁଅ ଦଶମ ପରୀକ୍ଷା ଦେଉ ବୋଲି ଇଚ୍ଛା ପ୍ରକାଶ କରିଛନ୍ତି । ଏଥିନିମନ୍ତେ ଗଣଶିକ୍ଷା ବିଭାଗର ଅନୁମତି ଲୋଡ଼ିଛନ୍ତି । ତେଣୁ ଖୁବଶୀଘ୍ର ପରିବାର ଲୋକେ ଏବଂ ତାଙ୍କ ଶିକ୍ଷକ ମୁଖ୍ୟମନ୍ତ୍ରୀ, ଶିକ୍ଷାମନ୍ତ୍ରୀ ଓ ବିଭାଗୀୟ ସଚିବଙ୍କୁ ଭେଟି ପୁଅକୁ ଅନୁମତି ଦେବାକୁ ନିବେଦନ କରିବେ । 

ଏନେଇ କୌସ୍ତଭ କହିଛନ୍ତି, ଧ୍ୟାନ ଓ ଏକାଗ୍ରତା ଯୋଗୁ ମୁଁ ଷଷ୍ଠରୁ ଦଶମ ପର୍ଯ୍ୟନ୍ତ ସମସ୍ତ ପାଠ୍ୟକ୍ରମକୁ ଶେଷ କରି ପାରିଛି । ମୋ ବାପା ଧ୍ୟାନ କରୁଥିବାରୁ ତାଙ୍କ ପାଖରେ ରହି ମୁଁ ଏହା ଶିଖିଛି । ଏହାଦ୍ବାରା ସହଜରେ ପାଠ ମନେ ରଖିପାରୁଛି । ପାଠ ବ୍ୟତୀତ ସାଧାରଣ ଜ୍ଞାନ ଓ ଅନ୍ୟାନ୍ୟ ବିଷୟ ବି ପଢ଼ୁଛି । ସରକାର ମୋତେ ଦଶମ ପରୀକ୍ଷା ପାଇଁ ସୁଯୋଗ ଦେଲେ ମୁଁ ଖୁବ୍‌ ଖୁସି ହେବି । ପାଠ ବ୍ୟତୀତ ଖେଳିବାକୁ ବି ମୁଁ ଭଲ ପାଏ । ଆଗାମୀ ଦିନରେ ପ୍ରତିଦ୍ୱନ୍ଦ୍ୱିତାମୂଳକ ପରୀକ୍ଷା ଦେବି । କୌସ୍ତଭଙ୍କ ମାଆ କହିଛନ୍ତି, ପୁଅ ଛୋଟ ବେଳୁ ହିଁ ଅଲୌକିକ । ସେ ସପ୍ତମ ଶ୍ରେଣୀ ପଢ଼ୁଥିବା ବେଳେ ଦଶମ ପାଠପଢ଼ା ସିଲାବସ୍‌ ଅନୁଯାୟୀ ଶେଷ କରିଛି । ମୋ ପୁଅକୁ ଥରେ ଦଶମ ଶ୍ରେଣୀ ପରୀକ୍ଷା ଦେବାକୁ ସୁଯୋଗ ଦେବାକୁ ମୁଁ ରାଜ୍ୟ ସରକାରଙ୍କ ନିକଟରେ ଅନୁରୋଧ କରୁଛି ।