ସଂହଦ୍ବାର ଆଗରେ ବାରିକେଡ ଭାଙ୍ଗିଲେ ଶ୍ରଦ୍ଧାଳୁ, ଅସମ୍ଭାଳ ଭିଡ଼


ପୁରୀ: ମହାପ୍ରଭୁଙ୍କ ଦର୍ଶନ କରି ବର୍ଷ ଆରମ୍ଭ କରିବାକୁ ପୁରୀରେ ଲକ୍ଷାଧିକ ଶ୍ରଦ୍ଧାଳୁ । ଦେଖିବାକୁ ମିଳିଛି ଅସମ୍ଭାଳ ଭିଡ଼ । ଜନ ସମୁଦ୍ର ପାଲଟିଛି ବଡ଼ଦାଣ୍ଡ । ପ୍ରବଳ ଭିଡ଼ ଯୋଗୁଁ ଉପୁଜିଛି ଠେଲାପେଲା ପରିସ୍ଥିତି । ସ୍ଥିତି ଅଣାୟତ୍ତ ହେବାରୁ ବ୍ୟାରିକେଡ୍ ଭାଙ୍ଗିଛନ୍ତି ଶ୍ରଦ୍ଧାଳୁ ।

ନୂଆବର୍ଷ ଅବସରରେ ଆଜି ସକାଳୁ ସକାଳୁ ଶ୍ରୀଜିଉଙ୍କୁ ଦର୍ଶନ ପାଇଁ ବଡ଼ଦାଣ୍ଡରେ ଶ୍ରଦ୍ଧାଳୁଙ୍କ ପ୍ରବଳ ଭିଡ଼ ଜମିଥିଲା । ଦୂର ଦୂରାନ୍ତରୁ ଆସିଥିବା ଶ୍ରଦ୍ଧାଳୁଙ୍କ ମଧ୍ୟରେ ବଡ଼ ଠାକୁରଙ୍କ ଦର୍ଶନ ପାଇଁ ପ୍ରବଳ ଉତ୍ସାହ ଦେଖିବାକୁ ମିଳିଥିଲା । ଏଥିନିମନ୍ତେ ରାତି ଅଧରୁ ଧାଡ଼ିରେ ଛିଡ଼ା ହୋଇଥିଲେ ଭକ୍ତ ।

ଶ୍ରଦ୍ଧାଳୁଙ୍କ ପ୍ରବଳ ସମାଗମକୁ ଦୃଷ୍ଟିରେ ରଖି, ଗତକାଲି ରାତି ସାଢ଼େ ୧୨ରେ ଶ୍ରୀମନ୍ଦିରରେ ଦ୍ୱାରଫିଟା ନୀତି ସଂପନ୍ନ ହୋଇ ଦର୍ଶନ ଆରମ୍ଭ ହୋଇଥିଲା । ସେପଟେ ଭିଡ଼କୁ ଦୃଷ୍ଟିରେ ରଖି ପୁରୀ ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଏହାସତ୍ତ୍ୱେ ଭିଡ଼ ଅସମ୍ଭାଳ ହେବାରୁ ଲୋକେ ଧସେଇ ପଶିବାକୁ ଉଦ୍ୟମ କରିଥିଲେ ।

ଭିଡ଼ ଦେଖି ପୋଲିସ୍‌ ନିରୂପାୟ ହୋଇ ଯାଇଥିଲା । ଫଳରେ ଲୋକେ ମନ୍ଦିର ଭିତରକୁ ପ୍ରବେଶ କରି ଯାଇଥିଲେ । ଏସ୍‌ପି ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏବେ ସ୍ଥିତି ସମ୍ପୂର୍ଣ୍ଣ ନିୟନ୍ତ୍ରଣାଧୀନ ରହିଥିବା ଜଣାପଡ଼ିଛି ।

ନୂଆବର୍ଷରେ ଅସମ୍ଭାଳ ଭିଡ଼କୁ ଲକ୍ଷ୍ୟ କରି ପୁରୀରେ ୬୦ ପ୍ଲାଟୁନ ଫୋର୍ସ ଓ ୩୫୦ ଅଧିକାରୀ ମୁତୟନ ହୋଇଛନ୍ତି । ଏହାସତ୍ତ୍ୱେ ଏପରି ସ୍ଥିତି ଉପୁଜିବାରୁ ପୋଲିସ୍‌ ମୁତୟନକୁ ଆହୁରି କଡ଼ାକଡ଼ି କରାଯାଇଛି ।