ଫାଷ୍ଟଫୁଡ ଖାଇଲେ, ଟଙ୍କା ଦେବା ବଦଳରେ ଛୁରୀ ଭୁଶିଲେ


ବ୍ରହ୍ମପୁର: ଫାଷ୍ଟ ଫୁଡ ଖାଇଲେ । ଟଙ୍କା ଦେବା ବଦଳରେ ଓଲଟି ଦାଦାବଟି ମାଗିଲେ । ବଟି ନମିଳିବାରୁ ଦୁଇ ଜଣଙ୍କୁ ଛୁରୀରେ ଆକ୍ରମଣ କରି ଆହତ କଲେ । ବ୍ରହ୍ମପୁର ଗାନ୍ଧୀନଗର ମୁଖ୍ୟ ରାସ୍ତାରେ ଗତ ରାତିରେ ଘଟିଛି ଏମିତି ଘଟଣା ।

ସୂଚନା ମୁତାବକ, ଗତ ସନ୍ଧ୍ୟାରେ ୪ ଯୁବକ ଦୁଇଟି ବାଇକରେ ବ୍ରହ୍ମପୁର ଗାନ୍ଧୀନଗର ମୁଖ୍ୟ ରାସ୍ତାରେ ପହଞ୍ଚି ଏକ ଦୋକାନରୁ ଫାଷ୍ଟ ଫୁଡ ଖାଇଥିଲେ । ମାତ୍ର ଦୋକାନୀ ଟଙ୍କା ମାଗିବାରୁ ଆରମ୍ଭ ହୋଇଥିଲା ବଚସା । ଟଙ୍କା ନ ଦେଇ ସେମାନେ ଧମକଚମକ ଦେବା ସହ ଦାଦା ବାଟି ମାଗିଥିଲେ । ଏହାକୁ ନେଇ ଦୋକାନୀ ଓ ତାଙ୍କ ଭାଇଙ୍କ ସହ ୪ ଯୁବକଙ୍କ ବଚସା ହୋଇଥିଲା । ଫଳରେ ୪ ଦୁର୍ବୃତ୍ତ ଛୁରୀ ବାହାର କରି ସେମାନଙ୍କୁ ଆକ୍ରମଣ କରିଥିଲେ । ଦୁଇ ଭାଇଙ୍କ ଚିତ୍କାର ଶୁଣି ପାଖରେ ଥିବା ଅନ୍ୟମାନେ ଦୌଡ଼ି ଆସିବାରୁ ଦୁଇ ଜଣ ଖସି ପଳାଇଛନ୍ତି । ଲୋକେ ଅନ୍ୟ ଦୁଇ ଜଣଙ୍କୁ କାବୁ କରି ପୋଲିସ ଜିମା ଦେଇଛନ୍ତି । ପୋଲିସ୍‌ ଦୁଇ ଯୁବକଙ୍କୁ ଥାନାକୁ ନେଇଥିବା ବେଳେ ସିସିଟିଭି ଫୁଟେଜ ଆଧାରରେ ଅନ୍ୟ ଦୁଇ ଯୁବକଙ୍କୁ ଖୋଜୁଛି । ଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଥାନା ଅଧିକାରୀ ସୂଚନା ଦେଇଛନ୍ତି ।