ଭୁବନେଶ୍ବର: ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି ଆଜି ଶପଥ ନେବେ । ହାଇକୋର୍ଟ ମୁଖ୍ୟ ବିଚାରପତି ହରିବାବୁଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ଶପଥ ପାଠ କରାଇବେ । ଗତ ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବରେ କମ୍ଭମପତିଙ୍କୁ ନିଯୁକ୍ତି ମିଳିଥିଲା । ଗତକାଲି ଭୁବନେଶ୍ୱରରେ ପହଞ୍ଚିବା ପରେ ତାଙ୍କୁ ଗାର୍ଡ ଅଫ ଅନର ପ୍ରଦାନ କରାଯାଇଥିଲା । ନୂଆ ରାଜ୍ୟପାଳଙ୍କୁ ସ୍ୱାଗତ କରିଥିଲେ ମୁଖ୍ୟମନ୍ତ୍ରୀ, ଉପମୁଖ୍ୟମନ୍ତ୍ରୀଙ୍କ ସହ ମନ୍ତ୍ରୀମଣ୍ଡଳର ଅନ୍ୟ ସଦସ୍ୟ ।
ଭୁବନେଶ୍ୱରରେ ସେ ପହଞ୍ଚିବା ପରେ ପୁରୀ ଯାଇଥିଲେ । ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କୁ ଦର୍ଶନ କରିବା ସହ ଆଶୀର୍ବାଦ ନେଇଥିଲେ । ଓଡ଼ିଶାର ବିକାଶ ଓ ରାଜ୍ୟବାସୀଙ୍କ ଉନ୍ନତି ପାଇଁ ମହାପ୍ରଭୁଙ୍କ ନିକଟରେ ପ୍ରାର୍ଥନା କରିଥିବା କହିଛନ୍ତି ନୂଆ ରାଜ୍ୟପାଳ । ଗତକାଲି ପୁରୀ ରାଜଭବନରେ ରାତ୍ରିଯାପନ କରିଥିଲେ । ଆଜି ଭୁବନେଶ୍ୱର ଫେରି ରାଜଭବନରେ ଶପଥ ଗ୍ରହଣ କରିବେ । ଛାତ୍ର ରାଜନୀତିରୁ କ୍ୟାରିୟର ଆରମ୍ଭ କରିଥିବା ଡଃ କମ୍ଭମପତି ୧୯୭୪-୭୫ ମସିହାରେ ଜୟପ୍ରକାଶ ନାରାୟଣ ଆନ୍ଦୋଳନ ବେଳେ ଗିରଫ ହୋଇ ୬ ମାସ ଜେଲ୍ ଯାଇଥିଲେ । ସେ ୧୯୯୯ ମସିହାରେ ପ୍ରଥମ ଥର ପାଇଁ ବିଶାଖାପାଟଣାର ବିଧାୟକ ଭାବେ ଆନ୍ଧ୍ରପ୍ରଦେଶ ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ପରେ ୨୦୧୪ ମସିହାରେ ବିଶାଖାପାଟଣା ଲୋକସଭା ଆସନରୁ ସଂସଦକୁ ନିର୍ବାଚିତ ହୋଇଥିଲେ ।