ଆଜିଠାରୁ ପୁଣି ଆରମ୍ଭ ହେବ ରତ୍ନଭଣ୍ଡାର ମରାମତି କାମ


ପୁରୀ: ନୂଆବର୍ଷ ପାଇଁ ବନ୍ଦ ଥିବା ରତ୍ନଭଣ୍ଡାର ମରାମତି କାମ ଆଜିଠାରୁ ପୁଣି ଆରମ୍ଭ ହେବାକୁ ଯାଉଛି । ପୂର୍ବରୁ ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାରର ଚୂନ ପ୍ଳାଷ୍ଟର ଛଡା ଯାଇଥିଲା । ଚୂନ ଛଡାଯିବା ପରେ ପଥରର ସରଫେସ ଦେଖାଗଲାଣି । ଅନେକ ପଥରରେ ଫାଟ ରହିଥିବା ଦେଖିବାକୁ ମିଳିଛି ।

ପଥର ପଥର ଭିତରେ ଲୁହା ଛଡରେ ଜଏଣ୍ଟ କରାଯାଇଥିବାରୁ ଲୁହା ଛଡ ଫୁଲିବା ଯୋଗୁଁ ଫାଟ ହୋଇଛି । ଫାଟ ଯୋଗୁଁ ସମସ୍ତ ପଥର ପରିବର୍ତ୍ତନ କରାଯିବ । ପରେ ଲୁହା ବିମଗୁଡିକ କଳଙ୍କି ଲାଗିଯାଇଥିବାରୁ ଜଗମୋହନ ଭଳି ଷ୍ଟିଲ ବିମ ଲଗାଯିବ ।

ଭିତର ରତ୍ନଭଣ୍ଡାର ଓ ବାହାର ରତ୍ନଭଣ୍ଡାର ସଂରକ୍ଷଣ କାର୍ଯ୍ୟ ଶେଷ ପରେ ରତ୍ନଭଣ୍ଡାରର ବାହାର ପଟ ମରାମତି କରାଯିବ । ଦ୍ୱିତୀୟ ଭୋଗମଣ୍ଡପ ପରେ ମରାମତି କାମ ହେବ । ଏହି ସମୟରେ ଭିତରକାଠ ଦର୍ଶନ ବନ୍ଦ ରହିବ ।

ସେହିପରି ଆଜିଠୁ ଶ୍ରୀମନ୍ଦିର ଚାରି ଦ୍ୱାରରେ ପ୍ରବେଶ କରିବେ ଶ୍ରଦ୍ଧାଳୁ । ନୂଆବର୍ଷ ଭିଡ଼ ପାଇଁ କେବଳ ସିଂହଦ୍ୱାରରେ ପ୍ରବେଶ ବ୍ୟବସ୍ଥା କରାଯାଇଥିଲା । ମରାମତି କାମ ପାଇଁ ରତ୍ନଭଣ୍ଡାରକୁ ପ୍ରବେଶ କରିବାକୁ ଥିବା ସମସ୍ତ ଅଧିକାରୀ ଏବଂ କର୍ମଚାରୀ ସେବାୟତଙ୍କ ଭଳି ପାରମ୍ପରିକ ପୋଷାକ ପରିଧାନ କରିବେ । ଶ୍ରମିକ ଓ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ପରିଚୟପତ୍ର ଦିଆଯିବ । ବିନା ପରିଚୟପତ୍ରରେ କାହାରିକୁ ଭିତରକୁ ଛଡ଼ାଯିବ ନାହିଁ । ସମୟ ନିର୍ଘଣ୍ଟ ଅନୁଯାୟୀ, ଦି’ପହର ଧୂପ ଓ ଦ୍ୱିତୀୟ ଭୋଗ ମଣ୍ଡପ ଶେଷ ପରେ ପ୍ରତ୍ୟେହ ଦିନ ପ୍ରାୟ ସାଢ଼େ ୧୨ଟା କିମ୍ବା ଗୋଟାଏରୁ ମରାମତି କାମ ଆରମ୍ଭ ହେବ । ଯାହା ପ୍ରାୟ ୫ ଘଣ୍ଟା ଧରି ଚାଲିବ । ମରାମତି ଯୋଗୁଁ ଶ୍ରୀଜୀଉଙ୍କ ନୀତିକାନ୍ତି ଯେପରି ପ୍ରଭାବିତ ହେବନାହିଁ ଓ ଦର୍ଶନ ଶୃଙ୍ଖଳିତ ରହିବ ତା’ ଉପରେ ବିଶେଷ ଗୁରୁତ୍ୱ ଦିଆଯାଇଛି ।