ଶପଥ ନେଲେ ଓଡ଼ିଶାର ନୂଆ ରାଜ୍ୟପାଳ ହରିବାବୁ କମ୍ଭମପତି


ଭୁବନେଶ୍ବର: ଓଡ଼ିଶାର ନୂତନ ରାଜ୍ୟପାଳ ଭାବେ ଶପଥ ନେଲେ ହରିବାବୁ କମ୍ଭମ୍‌ପତି । ଏହାସହ ସେ ହେଲେ ଓଡ଼ିଶାର ୨୭ତମ ରାଜ୍ୟପାଳ । ଆଜି ପୂର୍ବାହ୍ନ ୧୦ଟା ୧୦ ମିନିଟ୍‌ରେ ହରିବାବୁ କମ୍ଭମପତିଙ୍କୁ ଶପଥ ପାଠ କରାଇଛନ୍ତି ହାଇକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ ଚକ୍ରଧର ଶରଣ ସିଂହ । ଏଥିନିମନ୍ତେ ରାଜଭବନରେ ଶପଥ ଗ୍ରହଣ ସମାରୋହ ଆୟୋଜିତ ହୋଇଥିଲା ।

ସମାରୋହରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ, ଦୁଇ ଉପମୁଖ୍ୟମନ୍ତ୍ରୀ, ସ୍ୱାସ୍ଥ୍ୟ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ, ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ, ବାଚସ୍ପତି ସୁରମା ପାଢ଼ୀ, ବିଭିନ୍ନ ବିଶ୍ୱବିଦ୍ୟାଳୟର କୁଳପତିଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ । ଗତ ଡିସେମ୍ବର ୨୪ ତାରିଖରେ ଓଡ଼ିଶାର ରାଜ୍ୟପାଳ ଭାବରେ ହରିବାବୁ କମ୍ଭମପତିଙ୍କୁ ନିଯୁକ୍ତି ମିଳିଥିଲା । ଗତକାଲି ଭୁବନେଶ୍ୱରରେ ପହଞ୍ଚି ସେ ପୁରୀ ଯାଇ ଶ୍ରୀଜିଉଙ୍କୁ ଦର୍ଶନ କରିଥିଲେ । ପୁରୀ ରାଜଭବନରେ ରାତ୍ରିଯାପନ ପରେ ଆଜି ସେ ଭୁବନେଶ୍ୱର ଫେରିଥିଲେ । ଏହାପରେ ରାଜଭବନରେ ଶପଥ ନେଇଛନ୍ତି ହରିବାବୁ ।