ପ୍ରଥମ ପର୍ଯ୍ୟାୟରୁ କଟିଥିବା ମାଆ ଓ ଭଉଣୀ ଏକାଥରେ ଦୁଇଟି କିସ୍ତିର ପାଇବେ ସୁଭଦ୍ରା ଟଙ୍କା


ଭୁବନେଶ୍ବର: ସୁଭଦ୍ରା ଯୋଜନାକୁ ନେଇ ଆସିଛି ବଡ଼ ଅପଡେଟ । ଚଳିତବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ‘ସୁଭଦ୍ରା’ ଆବେଦନ କଲେ ବି ଆବେଦନକାରୀ ମହିଳାଙ୍କୁ ୨୦୨୪ରେ ବାକିଥିବା ୨ଟି କିସ୍ତି ମିଳିବ । ଗତକାଲି ଅନୁଷ୍ଠିତ କ୍ୟାବିନେଟ୍ ବୈଠକରେ ଏହି ନିଷ୍ପତ୍ତି ନିଆଯାଇଛି ।

ବୈଠକ ପରେ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା କହିଛନ୍ତି, ୨୦୨୪-୨୦୨୫ ପାଇଁ ଆବେଦନର ଶେଷ ତାରିଖ ରହିଛି ଆସନ୍ତା ମାର୍ଚ୍ଚ ୩୧ ତାରିଖ । ତା’ଭିତରେ ଯେଉଁମାନେ ବି ଆବେଦନ କରିବେ, ସମସ୍ତଙ୍କୁ ୨ଟି କିସ୍ତି ପ୍ରଦାନ କରାଯିବାକୁ ନିଷ୍ପତ୍ତି ନିଆଯାଇଛି।

ବର୍ତ୍ତମାନ ସୁଭଦ୍ରା ଯୋଜନାରେ ୧ କୋଟି ୬ ଲକ୍ଷରୁ ଅଧିକ ଆବେଦନ ପଞ୍ଜୀକୃତ ହୋଇଛି । ଖାଦ୍ୟ ସୁରକ୍ଷା ଯୋଜନାର ହିତାଧିକାରୀ ନଥିବା ଅବଶିଷ୍ଟ ଆବେଦନଗୁଡ଼ିକ ବିଚାରାଧୀନ ଅଛି । ବର୍ତ୍ତମାନ ୨୦୨୪-୨୫ ଆର୍ଥିକ ବର୍ଷ ପାଇଁ ଆବେଦନ କରିବାର କୌଣସି ଶେଷ ତାରିଖ ରଖାଯାଇ ନଥିଲା । ରାଜ୍ୟ କ୍ୟାବିନେଟ୍‌ରେ ଏହି ପଞ୍ଜୀକରଣର ଶେଷ ତାରିଖ ଧାର୍ଯ୍ୟ କରାଯାଇଛି । ଆସନ୍ତା ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୨୦୨୪-୨୫ ଆର୍ଥିକ ବର୍ଷର ସୁଭଦ୍ରା ପଞ୍ଜୀକରଣ ଶେଷ ହେବ ବୋଲି ନିଷ୍ପତ୍ତି ହୋଇଛି ।

ସେହିପରି ମଧୁବାବୁ ଭତ୍ତା ଯୋଜନା ଓ ଜାତୀୟ ସାମାଜିକ ସୁରକ୍ଷା କାର୍ଯ୍ୟକ୍ରମ ଅଧିନରେ ୮୦ ବର୍ଷ କିମ୍ବା ତା’ଠୁ ବୟସ୍କ ଭତ୍ତା ହିତାଧିକାରୀ ଏବଂ ଶତକଡ଼ା ୮୦ ପ୍ରତିଶତ କିମ୍ବା ତା’ଠୁ ଅଧିକ ଭିନ୍ନକ୍ଷମ ଥିବା ହିତାଧିକାରୀଙ୍କ ଭତ୍ତା ରାଶି ୩ ହଜାର ୫ଶହ ଟଙ୍କାକୁ ବୃଦ୍ଧି କରାଯାଇଛି । ଏହା ଚଳିତ ମାସରୁ ହିଁ ଲାଗୁ ହେବ ବୋଲି ନିଷ୍ପତ୍ତି ନିଆଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ବିଭିନ୍ନ ବିଭାଗର ୯ଟି ଗୁରୁତ୍ବପୂର୍ଣ୍ଣ ପ୍ରସ୍ତାବକୁ ମୋହର ମିଳିଛି । ତା’ମଧ୍ୟରୁ କୃଷି ଉଦ୍ୟୋଗୀଙ୍କୁ ଆସନ୍ତା ୫ ବର୍ଷ ପାଇଁ ରୋଜଗାର ଏବଂ ୠଣ ଦେବା ପାଇଁ ୮୭୪.୧୪ କୋଟି ଟଙ୍କାର ଖର୍ଚ୍ଚ ଅଟକଳକୁ ଅନୁମୋଦନ ମିଳିଛି ।