ଜାତୀୟ ସଡ଼କ ସୁରକ୍ଷା ମାସ ପାଳନ ବେଳେ ମୁଖ୍ୟମନ୍ତ୍ରୀ କରାଇଲେ ଶପଥ ପାଠ


ଭୁବନେଶ୍ବର: ଜାତୀୟ ସଡ଼କ ସୁରକ୍ଷା ମାସ ରାଜ୍ୟ ସରକାରଙ୍କ ପକ୍ଷରୁ ପାଳନ କରାଯାଉଛି । ଭୁବନେଶ୍ୱର ମହାତ୍ମାଗାନ୍ଧୀ ମାର୍ଗରେ ରାଜ୍ୟ ସଡ଼କ ସୁରକ୍ଷା ମାସର ଶୁଭ ଉଦଘାଟନ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାକୁ ଉଦଘାଟନ କରିଛନ୍ତି । ଏହି ଅବସରରେ ସଡ଼କ ସୁରକ୍ଷା ସହ ଟ୍ରାଫିକ ନିୟମ ପାଳନ ନେଇ ଲୋକଙ୍କୁ ସଚେତନ କରାଯାଇଛି ।

ସଡ଼କ ସୁରକ୍ଷା ମାସର ବାର୍ତ୍ତା ହେଉଛି ସୁରକ୍ଷିତ ଘରକୁ ଫେରନ୍ତୁ । ସୁରକ୍ଷିତ ଭାବେ ଗାଡ଼ି ଚଳାଇବାକୁ ପରାମର୍ଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ ଓଡ଼ିଶା ଯାତ୍ରୀ ଆପର ମଧ୍ୟ ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ଟ୍ରାଫିକ ସମସ୍ୟା ପାଇଁ ୨ ହଜାର ଟ୍ରାଫିକ କର୍ମଚାରୀ ପୋଷ୍ଟ ବାହାରିବ । ଚଳିତବର୍ଷ ୫୦୦ ଟ୍ରାଫିକ କର୍ମଚାରୀଙ୍କୁ ନିଯୁକ୍ତି ଦିଆଯିବ ବୋଲି ଜଣାପଡିଛି । 

ଏହି ଅବସରରେ ଏକ ପଦଯାତ୍ରା ମାଷ୍ଟରକ୍ୟଣ୍ଟିନ ଛକରୁ ବାହାରି ରାମ ମନ୍ଦିର ଛକ ଯାଏଁ ଯାଇଥିଲା ।  ସଚେତନତା ଅଭିଯାନ ପଦଯାତ୍ରାରେ ପରିବହନ ବିଭାଗ, ଏନସିସି କ୍ୟାଡେଟ, ବିଭିନ୍ନ ସ୍କୁଲ କଲେଜର ଛାତ୍ରଛାତ୍ରୀ, ଡ୍ରାଇଭର ଓ କଳାକାର ସାମିଲ ହୋଇଥିଲେ । ମୁଖ୍ୟମନ୍ତ୍ର ସଡ଼କ ସୁରକ୍ଷା ପାଳନ କରିବା ପାଇଁ ସମସ୍ତଙ୍କୁ ଶପଥ ପାଠ କରାଇଥିଲେ । କଳାକାରମାନେ ଚନ୍ଦ୍ରଗୁପ୍ତ ଏବଂ ଯମରାଜ୍ ଭୂମିକାରେ ଅଭିନୟ କରି ଲୋକଙ୍କୁ ସଚେତନ କରାଉଛନ୍ତି । ଏହି ଅବସରରେ ପରିବହନ ମନ୍ତ୍ରୀ ବିଭୁତି ଭୂଷଣ ଜେନା, ମନ୍ତ୍ରୀ କୃଷ୍ଣ ମହାପାତ୍ର, ମେୟର ସୁଲୋଚନା ଦାସ, ବିଧାୟକ, ମୁଖ୍ୟ ସଚିବ ମନୋଜ ଆହୁଜା, ପୋଲିସ ମୁଖ୍ୟ ଯୋଗେଶ ବାହାଦୁର ଖୁରାନିଆ, ପରିବହନ ବିଭଗର ଅଧିକାରୀ ପ୍ରମୁଖ ଉପସ୍ଥିତ ଥିଲେ ।