ବାଣ ବିସ୍ଫୋରଣରେ ଭୁଶୁଡ଼ିଲା ଘର, ଚାଲିଗଲା ଦୁଇ ଜୀବନ


ଜଗତସିଂହପୁର: ଘରେ ବାଣ ଭିଡ଼ା ହେଲା କାଳ । ବିସ୍ଫୋରଣରେ ଉଡ଼ିଗଲା ଘରର ଛାତ । ଚାହୁଁ ଚାହୁଁ ଚାଲିଗଲା ଗୋଟିଏ ପରିବାରର ଦୁଇ ଜଣଙ୍କ ଜୀବନ । ଅନ୍ୟ ଦୁଇଜଣଙ୍କୁ ଧ୍ବଂସସ୍ତୁପରୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି । ଘଟଣା ଘଟିଛି ଜଗତସିଂହପୁର ସଦର ଥାନା ବଡ଼ବାଗ ଗାଁରେ । ମୃତକମାନେ ହେଲେ ରାଜେଶ ଦାସ ଏବଂ ତାଙ୍କ ସ୍ତ୍ରୀ ରାନୀ ଦାସ । ସେହିଭଳି ଆହତମାନେ ହେଲେ ମୃତ ରାଜେଶଙ୍କ ଭାଇ ପରେଶ ଦାସ ଏବଂ ତାଙ୍କ ପତ୍ନୀ ଲକ୍ଷ୍ମୀପ୍ରିୟା ଦାସ ।

ଭଙ୍ଗା କୋଠା ଭିତରେ ଘରର କିଛି ସଦସ୍ୟ ଚାପି ହୋଇ ରହିଥିଲେ । ଘଟଣାସ୍ଥଳରେ ପୋଲିସ, ଅଗ୍ନିଶମ ଓ ଓଡ୍ରାଫ ବାହିନୀ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ହସ୍ପିଟାଲ ନେଇଥିଲେ । ବିସ୍ଫୋରଣ ସ୍ଥଳରୁ ଦୀର୍ଘ ଅଢେଇ ଘଣ୍ଟା ଧରି ଉଦ୍ଧାର କାର୍ଯ୍ୟ ଜାରି ରହିଥିଲା । ତେବେ ଏହି ବିସ୍ଫୋରଣ କିଭଳି ହେଲା, ବିସ୍ଫୋରଣ ପଛର କାରଣ ବାଣ ନା ଆଉ କିଛି, ଯଦି ବାଣ ତେବେ ଏହା ଆଇନ ସମତ କି ବେଆଇନ୍ ଭାବେ ଭିଡ଼ା ଯାଉଥିବା ସେ ସମ୍ପର୍କରେ ପୋଲିସ ତଦନ୍ତ କରୁଛି ।