ରାସ୍ତାରେ ଛିଡ଼ା ହୋଇଥିବା ଟ୍ରକକୁ ପିଟିଲା ଟ୍ରଲର, ଚାପି ହୋଇଗଲେ ଡ୍ରାଇଭର


ବାଲେଶ୍ବର: ବସ୍ତା ଥାନା ଅଞ୍ଚଳର ଦେଇ ଯାଇଥିବା ୬୦ ନମ୍ବର ଜାତୀୟ ରାଜପଥର ରାଜଘାଟ ନିକଟରେ ଦୁର୍ଘଟଣା । ରାସ୍ତା କଡ଼ରେ ଛିଡ଼ା ହୋଇଥିବା ଏକ ଟ୍ରକ୍‌କୁ ପଛପଟୁ ଧକ୍କା ଦେଲା ଟ୍ରଲର । ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ, ଟ୍ରଲର ଡ୍ରାଇଭର ନିଜ ଗାଡି କ୍ୟାବିନରେ ଚାପି ହୋଇଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଛି ।

ଭୋରୁ ରାଜଘାଟ ନିକଟ ରାସ୍ତାରେ ଟ୍ରକଟି ଛିଡ଼ା ହୋଇଥିଲା । ଏହି ସମୟରେ ପଶ୍ଚିମବଙ୍ଗ ପଟୁ ବାଲେଶ୍ୱର ଆଡକୁ ଏକ ଟ୍ରଲର ଦ୍ରୁତଗତିରେ ଆସି ଟ୍ରକକୁ ପଛରୁ ଧକ୍କା ଦେଇଥିଲା । ଖବର ପାଇ ଅଗ୍ନିଶମ କର୍ମଚାରୀ ଓ ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ଟ୍ରଲର କ୍ୟାବିନ କାଟି ଡ୍ରାଇଭରଙ୍କୁ ଗୁରୁତର ଅବସ୍ଥାରେ ବାହାର କରି ବସ୍ତା ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ସ୍ବାସ୍ଥ୍ୟାବସ୍ଥା ଗୁରୁତର ହେବାରୁ ତାଙ୍କୁ ବାଲେଶ୍ୱର ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି । ଘଟଣା ସ୍ଥଳରେ ବସ୍ତା ପୋଲିସ ତଦନ୍ତ କରୁଛି । କୁହୁଡି ଯୋଗୁଁ ଦୁର୍ଘଟଣା ଘଟି ଥାଇପାରେ ବୋଲି ଅନୁମାନ କରାଯାଉଛି ।