୨୦ ତାରିଖରୁ ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ଟ୍ରାଏଲ ରନ୍


ପୁରୀ: ବ୍ୟବସ୍ଥିତ ହେବ ପୁରୀ ଶ୍ରୀମନ୍ଦିରରେ ଶ୍ରୀଜିଉଙ୍କ ଦର୍ଶନ । ଧାଡିରେ ଯାଇ ତିତି ଠାକୁରଙ୍କ ଦର୍ଶନ କରିବେ ଭକ୍ତ । ଏଥିପାଇଁ ସରକାରଙ୍କ ପକ୍ଷରୁ ଧାଡ଼ ଦର୍ଶନର ବ୍ୟବସ୍ଥା କରାଯାଉଛି । ଯାହାର ଟ୍ରାଏଲ ରନ୍ ଆସନ୍ତା ୨୦ ତାରିଖରୁ ହେବ । ମହିଳା ଓ ପୁରୁଷ ଦର୍ଶନାର୍ଥୀଙ୍କ ପାଇଁ ଅଲଗା ଅଲଗା ଧାଡ଼ିରେ ଦର୍ଶନ ବ୍ୟବସ୍ଥା ହେବ । ଯେଉଁମାନେ ପରିବାର ସହ ଯାଇ ଦର୍ଶନ କରିବାକୁ ଚାହିଁବେ, ସେମାନଙ୍କ ପାଇଁ ମଧ୍ୟ ବ୍ୟବସ୍ଥା ହେବ ବୋଲି ସୂଚନା ଦେଇଛନ୍ତି ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ।

ମନ୍ତ୍ରୀ କହିଛନ୍ତି, ଧାଡ଼ି ଦର୍ଶନର ଉଦ୍ଦେଶ୍ୟ ହେଉଛି ଯେମିତି କେହି ଶ୍ରୀଜିଉଙ୍କ ଦର୍ଶନରୁ ବଞ୍ଚିତ ନହୁଅନ୍ତି । ଠିକ୍ ସେହିପରି ଅନ୍ନ ଯଜ୍ଞର ବ୍ୟବସ୍ଥା ମଧ୍ୟ କରାଯାଉଛି । ଯେଉଁମାନେ ଶ୍ରୀମନ୍ଦିରକୁ ଆସିବେ ସେମାନେ କିପରି ମହାପ୍ରଭୁଙ୍କ ମହାପ୍ରସାଦ ଟିକେ ପାଇବେ । ତାହା ପୁଣି ଶହେ ଟଙ୍କାରେ, ସେ ଦିଗରେ ବି ବିଚାରବିମର୍ଶ ଚାଲିଛି । ସେହିପରି ଆଇନ ମନ୍ତ୍ରୀ ଆହୁରି କହିଛନ୍ତି, ୩ ମାସ ଭିତରେ ରତ୍ନଭଣ୍ଡାର ମରାମତି କାମ ସାରିବାକୁ ଏଏସଆଇ ସମୟ ନେଇଥିଲେ । ନିର୍ଦ୍ଧାରିତ ସମୟ ପୂର୍ବରୁ କାମ ସାରିବାକୁ କୁହାଯାଇଛି । କାମ ସରିବା କ୍ଷଣି ମହାପ୍ରଭୁଙ୍କ ଅଳଙ୍କାରର ଗଣତି ମଣତି କରାଯାଇ ପୁଣି ରତ୍ନଭଣ୍ଡାରକୁ ଆଣାଯିବ ।