ବୀର ମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଂଚଳ ଯାଲୋଏ ଫରେଷ୍ଟ ସେକ୍ସନ ଅନ୍ତର୍ଗତ ଘିକୁଣ୍ଡି ସଂରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର ଉଦ୍ୟମ ବେଳେ ବନବିଭାଗ ଚଢାଉ କରିଥିଲା l ତେବେ ଦୁଇ ଜଣଙ୍କୁ ଧରିବାରେ ସଫଳ ହୋଇ ଥିବା ବେଳେ ଘଟଣାସ୍ଥଳରୁ ଜଣେ ଫେରାର ହୋଇଯାଇଥିଲା । ଗିରଫ ହୋଇଥିବା ଗଇଲଗୁଡି ଗ୍ରାମର ଅଭି ପଧାନ (୨୪) ଏବଂ କୁଲବସା ଗ୍ରାମର ପୁରୁଷୋତମ ଧରୁଆ (୩୦) ବୋଲି ଜଣାପଡିଛି । ଅନ୍ୟପଟେ ଫେରାର ବ୍ୟକ୍ତି ସୁବଳୟା ଅଂଚଳର ହୋଇଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିଛି । ତେବେ ବନବିଭାଗ ଘିକୁଣ୍ଡି ସଂରକ୍ଷିତ ଜଙ୍ଗଲରେ ନିଆଁ ଲଗାଇ ବନ୍ଧୁକ ସାହାଯ୍ୟରେ ଜନ୍ତୁ ଶିକାର ପାଇଁ ଉଦ୍ୟମ କରୁଥିବାକଥା ପେଟ୍ରୋଲିଂ ସମୟରେ ଜାଣିବାକୁ ପାଇଥିଲା । ଉକ୍ତ ସମୟରେ ଗୁଳି ଫୁଟିବାର ଶବ୍ଦ ଶୁଣି ବନବିଭାଗ କର୍ମଚାରୀ ଶିକାରୀଙ୍କୁ ପିଛା କରିବା ସହ ଘଟଣାସ୍ଥଲରୁ ଦୁଇଜଣଙ୍କୁ ଗିରଫ କରିଥିଲେ । ମାତ୍ର ବନବିଭାଗ କର୍ମଚାରୀଙ୍କୁ ଚକମା ଦେଖାଇ ଗିରଫ ଅଭିଯୁକ୍ତ ଦ୍ୱୟ ହାତରେ ଧରିଥିବା ବନ୍ଧୁକ ଜଙ୍ଗଲ ଭିତରେ ଫିଙ୍ଗି ଦେଇଥିଲେ । ଏଥିସହ ଆଉ ଏକ ବନ୍ଧୁକ ଫେରାର ଅଭିଯୁକ୍ତ ନିଜ ସାଙ୍ଗରେ ନେଇ ଚାଲି ଯାଇଥିବା ଜଣାପଡିଛି । ଜନ୍ତୁ ଶିକାର ପାଇଁ ବ୍ୟବହୃତ ବନ୍ଧୁକ ନ ପାଇ ବନବିଭାଗ ଅଭିଯୁକ୍ତଙ୍କ ପାଖରୁ ଜିଆଇ ତାର ଏବଂ ନିଆଁ ଲଗାଇବା ପାଇଁ ବ୍ୟବହାର କରୁଥିବା ବିଭିନ୍ନ ସାମଗ୍ରୀ ଜବତ କରିଛି । ମଙ୍ଗଲବାର ଉକ୍ତ ଜଙ୍ଗଲରେ ଫିଙ୍ଗା ଯାଇଥିବା ବନ୍ଧୁକ ଖୋଜାଖୋଜି କରାଯାଇଥିଲେ ମଧ୍ୟ ବନବିଭାଗ ହାତରେ ଲାଗିନଥିବା ଜଣାପଡିଛି । ଦିର୍ଘଦିନ ହେଲା ଉକ୍ତ ଅଂଚଳରେ ମୂଖ୍ୟତଃ ବରହା ଶିକାର ହୋଇ ଆସୁଥିବା ବନବିଭାଗ ପାଖରେ ଖବର ରହିଥିଲା । ଏହି ଆଧାରରେ ପେଟ୍ରୋଲିଂ କରୁଥିବା ବେଳେ ବନବିଭାଗ ୨ ଜଣ ଅଭିଯୁକ୍ତଙ୍କୁ ଧରିବାରେ ସଫଳ ହୋଇଛି । ବୁଧବାର ଗିରଫ ଅଭିଯୁକ୍ତ ମାନଙ୍କୁ କୋର୍ଟଚାଲାଣ କରାଯିବ ବୋଲି ବନପାଳ ଜଗବନ୍ଧୁ ବାରିକ ସୂଚନା ଦେଇଛନ୍ତି ।
ସଂରକ୍ଷିତ ଜଙ୍ଗଲରେ ଜନ୍ତୁ ଶିକାର ବେଳେ ଦୁଇ ଜଣ ଗିରଫ
