ସୁଭଦ୍ରା ଯୋଜନା: OPT OUT ହୋଇଥିଲେ ପୁଣି ଲଗ୍ ଇନ୍ କରିହେବ


ଭୁବନେଶ୍ବର: ସୁଭଦ୍ରା ଯୋଜନାରେ ଆବେଦନ ବେଳେ ଭୁଲରେ ହେଉ କି ଅନ୍ୟ କେଉଁ କାରଣରୁ ହେଉ, OPT OUT ହୋଇଥିବା ହିତାଧିକାରୀମାନଙ୍କ ପାଇଁ ନୂଆ ବ୍ୟବସ୍ଥା । OPT OUT ହୋଇଥିବା ଲୋକଙ୍କ ପାଇଁ ସୁଭଦ୍ରା ପୋର୍ଟାରଲେ ପୁଣି ଥରେ ଲଗ୍ ଇନ ସହ ଅପ୍ଟ ଇନର ବ୍ୟବସ୍ଥା କରାଯାଇଥିବା କହିଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ।

ସୋସିଆଲ ମିଡ଼ିଆ Xରେ ଉଲ୍ଲେଖ କରି ଉପମୁଖ୍ୟମନ୍ତ୍ରୀ କହିଛନ୍ତି, ଏ ସମ୍ପର୍କରେ ଅନେକ ଗୁଡିଏ ଅଭିଯୋଗ ଆସିବା ପରେ ଏହାକୁ ପ୍ରାଥମିକତା ଦେଇ ସମସ୍ୟାର ସମାଧାନ କରାଯାଇଛି । ବିଶେଷକରି ଭୁଲରେ OPT OUT ହୋଇଯାଇଥିବା ‘ସୁଭଦ୍ରା ହିତାଧିକାରୀ’ଙ୍କ ପାଇଁ ପୋର୍ଟାଲରେ ବ୍ୟବସ୍ଥା ହୋଇଛି ।

ଯେଉଁମାନେ OPT IN କରିବାକୁ ଚାହୁଁଛନ୍ତି ସେମାନେ ପୋର୍ଟାଲରେ ପ୍ରଥମେ LOG IN କରିବେ ଓ OPT IN କରିପାରିବେ । ସମସ୍ତ ଯୋଗ୍ୟ ହିତାଧିକାରୀଙ୍କୁ ‘ସୁଭଦ୍ରା’ ସହାୟତା ସୁନିଶ୍ଚିତ କରିବା ନିମନ୍ତେ ରାଜ୍ୟ ସରକାର ପ୍ରତିଶୃତିବଦ୍ଧ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

ଗତବର୍ଷ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଥିବା ବେଳେ ହିତାଧିକାରୀଙ୍କୁ ପ୍ରଥମ, ଦ୍ୱିତୀୟ ଓ ତୃତୀୟ ପର୍ଯ୍ୟାୟରେ ସୁଭଦ୍ରା ଟଙ୍କା ମିଳି ସାରିଛି । ଡିସେମ୍ବର ୨୫ ତାରିଖରେ ଚତୁର୍ଥ ପର୍ଯ୍ୟାୟ ସୁଭଦ୍ରା ଟଙ୍କା ମିଳିବ ବୋଲି ଚର୍ଚ୍ଚା ହେଉଥିବା ବେଳେ ହିତାଧିକାରୀଙ୍କୁ ତାହା ମିଳି ନଥିଲା । ତେଣୁ ଚଳିତବର୍ଷ ୩ ଥର ସୁଭଦ୍ରା ଯୋଜନା ଟଙ୍କା ମିଳିବ ବୋଲି ଜଣାଯାଇଛି ।

ଚଳିତବର୍ଷ ପ୍ରଥମ କିସ୍ତିର ଚତୁର୍ଥ ପର୍ଯ୍ୟାୟ ଟଙ୍କା ମିଳିବ । ଏଥିସହ ମାର୍ଚ୍ଚ ୮ ଓ ରକ୍ଷା ବନ୍ଧନରେ ବି ସୁଭଦ୍ରା ଟଙ୍କା ମିଳିବ । ତେଣୁ ଚଳିତବର୍ଷ ମହିଳା ହିତାଧିକାରୀମାନେ ୩ ଥର ସୁଭଦ୍ରା ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ।