ପୁରୀ: ପୌଷ ପୂର୍ଣ୍ଣିମା । ଆଜି ଶ୍ରୀମନ୍ଦିରରେ ବଡ଼ ଠାକୁର ଶ୍ରୀବଳଭଦ୍ର, ମହାପ୍ରଭୁ ଶ୍ରୀଜଗନ୍ନାଥ ଏବଂ ଦେବୀ ସୁଭଦ୍ରା ସୁନାବେଶ ବା ରାଜ ରାଜେଶ୍ୱର ବେଶରେ ବିଭୂଷିତ ହେବେ ।
ପ୍ରତିବର୍ଷ ରତ୍ନ ସିଂହାସହନରେ ବିରାଜମାନ ଚତୁର୍ଦ୍ଦା ମୂର୍ତ୍ତି ୪ ଥର ସୁନା ବେଶ ହୋଇଥାନ୍ତି । ପୌଷ ପୂର୍ଣ୍ଣିମାରେ ରତ୍ନସିଂହାସନରେ ବିରାଜିତ ଚତୁର୍ଦ୍ଧାମୂର୍ତ୍ତି ମହଣ ମହଣ ସୁନା ଅଳଙ୍କାରରେ ବିଭୂଷିତ ହୋଇଥାନ୍ତି । ସକାଳ ଧୂପ ପରେ ହେବ ଏହି ବେଶ । ପ୍ରଭୁ ବଳଭଦ୍ର ହଳମୂଷଳ ଧାରଣ କରିବେ । ଶଙ୍ଖଚକ୍ର ପରିଧାନ କରିବେ ମହାପ୍ରଭୁ । ତାଙ୍କ ପାଦରେ ଶ୍ରୀପୟର, ହାତରେ ଶ୍ରୀଭୁଜ ଓ ଅନ୍ୟ ବହୁ ପ୍ରକାର ସୁନା ଅଳଙ୍କାର ପରିଧାନ କରିବେ ।
କାଲିଠୁ ଜଳ ଅଧିବାସ ସରିଥିବା ବେଳେ ଆଜି ସେହି ଜଳରେ ସମସ୍ତ ନୀତିକାନ୍ତି ସମ୍ପନ୍ନ ହେବ । ସକାଳୁ ଧୂପ ପରେ ମହାପ୍ରଭୁ ସୁନା ବେଶ ହେବେ । ରାତିରେ ବଡ଼ ସିଂହାର ବେଶ ସମୟରେ ହିଁ ନବାଙ୍କ ବେଶ ସମ୍ପନ୍ନ ହେବ । ଏହି ବେଶରେ ଅନେକ ପ୍ରକାର ପୂଷ୍ପରେ ବିଭୁଷିତ ହେବେ ମହାପ୍ରଭୁ । ଆସନ୍ତାକାଲି ମକର ସଂକ୍ରାନ୍ତି । ଏହି ଅବସରେ ଶ୍ରୀଜିଉଙ୍କ ନିକଟରେ ମକର ଚାଉଳ ଓ ଧନୁମୂଆଁ ଭୋଗ କରାଯିବାର ବଧିବିଧାନ ରହିଛି ।