୬୬ ବର୍ଷର ଦନ୍ତାହାତୀ ‘ମହେନ୍ଦ୍ର’ର ମୃତ୍ୟୁ, ପରିବେଶ ପ୍ରେମୀଙ୍କ ମଧ୍ୟରେ ଶୋକର ଛାୟା


ବାରିପଦା: ଶିମିଳିପାଳ ଅଭୟାରଣ୍ୟରେ ଆଖି ବୁଜିଲା ପୋଷା ଦନ୍ତାହାତୀ ‘ମହେନ୍ଦ୍ର’ । ମୃତ୍ୟୁ ବେଳକୁ ତାକୁ ୬୬ ବର୍ଷ ବୟସ ହୋଇଥିଲା । କିଛିଦିନ ହେବ ଅସୁସ୍ଥ ଥିବା ବେଳେ ତା’ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ହେଉଥିଲା । ଗତ ରାତିରେ ତା’ର ମୃତ୍ୟୁ ଘଟିଛି ।

‘ମହେନ୍ଦ୍ର’ ଏକ ପୋଷା ହାତୀ ଥିବା ବେଳେ ୨୦୦୧ ମସିହାରେ କର୍ଣ୍ଣାଟକାରୁ ଶିମିଳିପାଳ ଅଭୟାରଣ୍ୟକୁ ଆସିଥିଲା । ସେବେଠୁ ଶିମିଳିପାଳରେ ତାକୁ ପ୍ରଶିକ୍ଷଣ ଦିଅଯିବା ସହ ବିଭିନ୍ନ କାର୍ଯ୍ୟରେ ନିୟୋଜିତ କରାଯାଇଥିଲା । ଶିମିଳିପାଳରେ କାଠ ମାଫିଆ ଓ ବନ୍ୟଜନ୍ତୁ ଶିକାରୀଙ୍କୁ ଧରିବାରେ ବନ ବିଭାଗକୁ ସହାୟତା କରୁଥିଲା ମହେନ୍ଦ୍ର ।

ଶିମିଳିପାଳର ଆଖପାଖ ଅଞ୍ଚଳକୁ ହାତୀ ପଲ ପଶି ଆସିଲେ ସେମାନଙ୍କୁ ଘଉଡ଼ାଇବା ନିମନ୍ତେ ମହେନ୍ଦ୍ରକୁ ବ୍ୟବହାର କରାଯାଉଥିଲା । ଏଥିସହ ବାଘ ଟ୍ରାକିଂ ତଥା ଘଞ୍ଚ ଜଙ୍ଗଲକୁ ବନ କର୍ମଚାରୀ ଯିବା ନିମନ୍ତେ ମଧ୍ୟ ମହେନ୍ଦ୍ରର ସହାୟତା ନିଆଯାଉଥିଲା । ଶିମିଳିପାଳରେ ସମସ୍ତ ବନ କର୍ମଚାରୀଙ୍କ ମନ ଜିଣିଥିଲା ମହେନ୍ଦ୍ର ।

କିଛି ବର୍ଷ ପୂର୍ବେ ସୁନ୍ଦରୀ ନାମ୍ନୀ ବାଘ ଅନୁଗୋଳ ଜିଲ୍ଲାରେ କୋକୁଆ ଭୟ ସୃଷ୍ଟି କରିଥିଲା । ସୁନ୍ଦରୀ ଉପରେ ତୀକ୍ଷଣ ନଜର ରଖିବା ତଥା ତାହାକୁ ଟ୍ରାକିଂ କରିବା ନିମନ୍ତେ ମହେନ୍ଦ୍ରକୁ ୪ ବର୍ଷ ଅନୁଗୋଳ ଜିଲ୍ଲାରେ ନିୟୋଜିତ କରାଯାଇଥିଲା । ଏହାପରେ ସେଠାରୁ ତାକୁ ପୁଣି ଥରେ ଶିମିଳିପାଳକୁ ଫେରାଇ ଅଣାଯାଇଥିଲା । ସେବେଠୁ ସେ ଶିମିଳିପାଳରେ ଥିଲା ।

ସବୁଠୁ ରୋଚକ କଥା ହେଉଛି, ମହେନ୍ଦ୍ରର ଶୋଭା ଓ ଭବାନୀ ନାମଧାରୀ ଦୁଇ ପତ୍ନୀ ଥିଲେ । ସେମାନଙ୍କ ଔରସରୁ ମହେନ୍ଦ୍ରର ୩ ଝିଅ ଥିଲେ । ସେମାନେ ହେଲେ ଲକ୍ଷ୍ମୀ, ଶିବାନୀ ଓ ରାଜକୁମାର । ଶୋଭା ଓ ଭବାନୀଙ୍କର ପୂର୍ବରୁ ମୃତ୍ୟୁ ହୋଇ ସାରିଛି । ଶୋଭା ମୃତ୍ୟୁ ପରଠୁ ମାନସିକ ଭାବେ ଭାଙ୍ଗି ପଡ଼ିଥିବା ମହେନ୍ଦ୍ର ସବୁବେଳେ ଅବସାଦରେ ରହୁଥିଲା ।

ଏଥିସହ ଗତ କିଛି ଦିନ ହେବ ଶିମିଳିପାଳରେ ଅସହ୍ୟ ଜାଡ଼ ହେଉଥିବାରୁ ମହେନ୍ଦ୍ର ଅସୁସ୍ଥ ହୋଇ ପଡ଼ିଲା । ତୁରନ୍ତ ପ୍ରାଣୀ ବିଜ୍ଞାନୀ ଟିମ୍‌ ତାର ଚିକିତ୍ସା ଆରମ୍ଭ କରିଥିଲେ । ତା’ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ହେଉଥିବା ବେଳେ ୨ ଦିନ ହେବା ସେ ଖାଇବା ଛାଡ଼ି ଦେଇଥିଲା ।

ମହେନ୍ଦ୍ରର ସ୍ୱାସ୍ଥ୍ୟ ଭଲ ରହୁ ନଥିବା ବେଳେ ଗତକାଲି ସନ୍ଧ୍ୟାରେ ତା’ ଝିଅ ଶିବାନୀ ନିଜ ଚେନ୍‌ ଛିଣ୍ଡାଇ ବାପା ପାଖକୁ ଧାଇଁ ଆସିଥିଲା । ବାପା ପାଖରେ କିଛି ସମୟ ରହିବା ପରେ ଶିବାନୀକୁ ତା’ ମାହୁନ୍ତ ନେଇ ଯାଇଥିଲେ । ଏହାପରେ ରାତିରେ ଆଖି ବୁଜିଛି ମହେନ୍ଦ୍ର । ଆଜି ମହେନ୍ଦ୍ରର ଶବ ବ୍ୟବଚ୍ଛେଦ କରାଯାଇ ଶିମିଳିପାଳରେ ପୋତି ଦିଆଯିବ । ମହେନ୍ଦ୍ର ଦୀର୍ଘ ବର୍ଷ ହେବ ଶିମିଳିପାଳରେ ରହି ଆସୁଥିବା ବେଳେ ବିଭିନ୍ନ ପ୍ରକାର ସେବା ଯୋଗାଇ ଚାଲିଥିଲା । ତା’ ମୃତ୍ୟୁରେ ବନ ବିଭାଗ କର୍ମଚାରୀ ଖୁବ୍‌ ଭାଙ୍ଗି ପଡ଼ିଛନ୍ତି । ମହେନ୍ଦ୍ରର ମୃତ୍ୟୁ ଖବର ପ୍ରଚାରିତ ହେବା ପରେ ଜଙ୍ଗଲ ଓ ପରିବେଶ ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ ଦୁଃଖ ପ୍ରକାଶ କରିଛନ୍ତି ।