ରାଜ୍ୟରେ ଆହୁରି ଦୁଇଦିନ ଦେଖାଯିବ ଘନ କୁହୁଡ଼ି, ବଢୁଛି ତାପମାତ୍ରା


ଭୁବନେଶ୍ବର: ରାଜ୍ୟରେ ଶୀତର ମାତ୍ରା କମିବାରେ ଲାଗିଛି । ଆଗାମୀ ୪ ଦିନ ପର୍ଯ୍ୟନ୍ତ ଶୀତର ପ୍ରଭାବ କମ ରହିବ । ପ୍ରାୟ ସମସ୍ତ ଜିଲ୍ଲାରେ ରାତି ତାପମାତ୍ରା ଏବେ ୧୫ ଡିଗ୍ରୀ ଉପରେ ରହୁଛି । ସେପଟେ ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ରାଜ୍ୟର କିଛି ଅଞ୍ଚଳରେ ଘନ କୁହୁଡି ଦେଖାଦେବ ବୋଲି କହିଛି ପାଣିପାଗ ବିଭାଗ । ଆଗାମୀ ଦୁଇ ଦିନ ପର୍ଯ୍ୟନ୍ତ ପାଗ ସୁଖିଲା ରହିବ । ୩ରୁ ୪ ଦିନ ପର୍ଯ୍ୟନ୍ତ ତାପମାତ୍ରାରେ ସେଭଳି କୌଣସି ପରିବର୍ତ୍ତନ ଦେଖିବାକୁ ମିଳିବନାହିଁ ।

ଗତକାଲି ପାରାଦୀପରେ ରାତି ତାପମାତ୍ରା ୧୮.୫ ଡିଗ୍ରୀ ରହିଥିଲା । ପୁରୀରେ ୧୮.୨, ଗୋପାଳପୁରରେ ୧୮.୧ ଓ ଭୁବନେଶ୍ୱରରେ ୧୭.୫ ଡିଗ୍ରୀ ରେକର୍ଡ କରାଯାଇଛି । ଘୁ. ଉଦୟଗିରିରେ ରାତି ତାପମାତ୍ରା ୯.୫ ଡିଗ୍ରୀ ରେକର୍ଡ କରାଯାଇଛି । ପ୍ରାୟ ଅନ୍ୟ ସମସ୍ତ ଅଞ୍ଚଳରେ ତାପମାତ୍ରା ୧୦ ଡିଗ୍ରୀ ଉପରେ ରହିଛି । ଦାରିଙ୍ଗିବାଡିରେ ୧୦.୫ ଡିଗ୍ରୀ, ରାଉରକେଲାରେ ୧୧, ଝାରସୁଗୁଡାରେ ୧୧.୬, ଫୁଲବାଣୀରେ ୧୨, ସୁନ୍ଦରଗଡରେ ପାରଦ ୧୨.୭ ଡିଗ୍ରୀ ରେକର୍ଡ କରାଯାଇଛି । ଗୁରୁବାର ସୁନ୍ଦରଗଡ଼ା, ଝାରସୁଗୁଡା, ସମ୍ବଲପୁର, କଳାହାଣ୍ଡି ଓ କନ୍ଧମାଳରେ ଘନ କୁହୁଡି ଦେଖିବାକୁ ମିଳିଛି ।

କଟକ ଓ ଭୁବନେଶ୍ୱରରେ ମଧ୍ୟ ତାପମାତ୍ରା ବୃଦ୍ଧି ପାଇପାରେ । ଆଗାମୀ ୭ ଦିନ ମଧ୍ୟରେ କଟକରେ ସର୍ବାଧିକ ୨୮ ଡିଗ୍ରୀ ଓ ସର୍ବନିମ୍ନ ୧୪ ଡିଗ୍ରୀ ତାପମାତ୍ରା ଛୁଇଁପାରେ ବୋଲି ପାଣିପାଗ ବିଭାଗ ଆକଳନ କରିଛି । ଏହି ୭ ଦିନ ମଧ୍ୟରେ ଭୁବନେଶ୍ୱରରେ ସର୍ବନିମ୍ନ ୧୫ ଡିଗ୍ରୀ ତାପମାତ୍ରା ଆକଳନ କରାଯାଇଥିବା ବେଳେ ସର୍ବାଧିକ ୩୦ ଡିଗ୍ରୀ ଛୁଇଁବା ନେଇ ପାଣିପାଗ ବିଭାଗ ଆକଳନ କରିଛି ।