ଭୁବନେଶ୍ବର: ରାଜ୍ୟର ପ୍ରାଥମିକ ଓ ଉଚ୍ଚ ପ୍ରାଥମିକ ସ୍ତରରେ ସ୍କିମାଟିକ୍ କନିଷ୍ଠ ଶିକ୍ଷକଙ୍କ ଦରମା ବୃଦ୍ଧି କରିଛନ୍ତି ସରକାର । ପୂର୍ବରୁ ସେମାନଙ୍କୁ ମାସିକ ୧୧ ହଜାର ଶହେ ଟଙ୍କା ପାରିଶ୍ରମିକ ମିଳୁଥିବା ବେଳେ ଏବେ ଏହା ବଢ଼ି ୧୬ ହଜାର ଟଙ୍କା ହୋଇଛି । ଏହାସହ ଏହି ବର୍ଗର ଶିକ୍ଷକମାନଙ୍କ ଇପିଏଫ ପରିମାଣ ମଧ୍ୟ ୧୪୪୩ ଟଙ୍କାରୁ ୧୯୫୦ ଟଙ୍କାକୁ ବୃଦ୍ଧି ପାଇଛି ।
ଏହି ନିଷ୍ପତ୍ତି ଦ୍ୱାରା ରାଜ୍ୟ ସରକାର ପ୍ରତ୍ୟେକ ସ୍କିମାଟିକ କନିଷ୍ଠ ଶିକ୍ଷକଙ୍କ ପାଇଁ ପୂର୍ବରୁ ୧୨ ହଜାର ୫୪୩ ଟଙ୍କା ପ୍ରଦାନ କରୁଥିବା ବେଳେ, ଏବେ ମାସକୁ ୧୭ ହଜାର ୯୫୦ ଟଙ୍କା ପ୍ରଦାନ କରିବେ । ରାଜ୍ୟରେ ବର୍ତ୍ତମାନ ୧୩ ହଜାର ୭୪୦ ଜଣ ସ୍କିମାଟିକ କନିଷ୍ଠ ଶିକ୍ଷକ କାର୍ଯ୍ୟରତ ଅଛନ୍ତି । ଏଥିପାଇଁ ରାଜ୍ୟ ସରକାର ବର୍ଷକୁ ଅତିରିକ୍ତ ୮୯.୧୫ କୋଟି ଟଙ୍କା ବହନ କରିବେ । ରାଜ୍ୟରେ ପ୍ରାଥମିକ ଶିକ୍ଷାର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅନେକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛନ୍ତି । ୧୬ ହଜାରରୁ ଅଧିକ କନିଷ୍ଠ ଶିକ୍ଷକ ନିଯୁକ୍ତି କରାଯାଇଛି । ଗୋଦାବରୀଶ ମିଶ୍ର ଆଦର୍ଶ ପ୍ରାଥମିକ ବିଦ୍ୟାଳୟ ଯୋଜନା କାର୍ଯ୍ୟକାରୀ କରିଛନ୍ତି । ଏହାଦ୍ୱାରା ଏହି ବର୍ଗର କନିଷ୍ଠ ଶିକ୍ଷକମାନେ ଉପକୃତ ହେବେ ଏବଂ ପ୍ରାଥମିକ ଶିକ୍ଷାରେ ଗୁଣାତ୍ମକ ଉନ୍ନତି ଆସିବ ବୋଲି ମୁଖ୍ୟମନ୍ତ୍ରୀ ଆଶା ପ୍ରକାଶ କରିଛନ୍ତି ।