ନାବାଳିକାଙ୍କୁ ଧକ୍କା ଦେଲା ମୋ ବସ୍, ଗାଡି ଅଟକାଇଲେ ଉତ୍ତ୍ୟକ୍ତ ଲୋକେ


ଭୁବନେଶ୍ବର: ସୁନ୍ଦରପଦା ବିରିବନ୍ଧ ରାସ୍ତାରେ ନାବାଳିକାଙ୍କୁ ଧକ୍କା ଦେଲା ମୋ ବସ । ଦୁର୍ଘଟଣାରେ ବିରିବନ୍ଧ ଗ୍ରାମର ନାବାଳିକା ଆଦ୍ୟାଶା ଗୁରୁତର ଆହତ ହୋଇଛନ୍ତି । ଟିଉସନ ପାଇଁ ସାଇକେଲରେ ଯାଉଥିବାବେଳେ ପଛପଟୁ ବସ ତାଙ୍କୁ ଧକ୍କା ଦେଇଥିଲା । ସେ ସାଇକେଲ ସହ କିଛି ବାଟ ଘୋଷାଡ଼ି ହୋଇ ଯାଇଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାକୁ ନେଇ ଅଞ୍ଚଳରେ ଉତ୍ତେଜନା ପ୍ରକାଶ ପାଇଛି । ଉତ୍ତ୍ୟକ୍ତ ଲୋକେ ମୋ ବସକୁ ଅଟକ ରଖିଛନ୍ତି । ବସ ଡ୍ରାଇଭରଙ୍କ ବେପରୁଆ ଗାଡି ଚାଳନା ଓ ଅଣ ତାଲିମ ପ୍ରାପ୍ତ ଡ୍ରାଇଭର ନିଯୁକ୍ତି ପାଉଥିବାରୁ ବାରମ୍ବାର ଦୁର୍ଘଟଣା ଘଟୁଥିବା ଅଭିଯୋଗ କରିଛନ୍ତି ଆହତ ଆଦ୍ୟାଶାଙ୍କ ବାପା । ତେବେ ବସର ବ୍ରେକ ନଧରିବାରୁ ଏଭଳି ଦୁର୍ଘଟଣା ହୋଇଛି ବୋଲି ଡ୍ରାଇଭର କହିଛନ୍ତି । ପୋଲିସ ପହଞ୍ଚି ବୁଝାଶୁଝା କଲେ ମଧ୍ୟ କୃଟ କର୍ତ୍ତୃପକ୍ଷ ଆସିବା ନେଇ ଜିଦରେ ଅଟଳ ଅଛନ୍ତି ସ୍ଥାନୀୟ ବାସିନ୍ଦା ।