ଶୀତରେ ଲାଗିବ ବ୍ରେକ୍, ଆଜିଠୁ ବଢ଼ିବ ତାପମାତ୍ରା


ଭୁବନେଶ୍ବର: ଶୀତରୁ ମିଳିବ ତ୍ରାହି । ଆଜିଠାରୁ ରାଜ୍ୟରେ ଶୀତ କମିଥିବା ବେଳେ ତାପମାତ୍ରା ବୃଦ୍ଧି ପାଇଛି । ଦିନର ତାପମାତ୍ରା ୧ରୁ ୨ ଡିଗ୍ରୀ ଯାଏଁ ବୃଦ୍ଧି ପାଇଛି । ସେହିପରି ଆଜିଠୁ ରାତିର ତାପମାତ୍ରା ମଧ୍ୟ ବଢିବ । ପଶ୍ଚିମା ଝଡର ସକ୍ରିୟତା ଯୋଗୁଁ ରାଜ୍ୟକୁ ଜଳୀୟବାଷ୍ପ ପୂର୍ଣ୍ଣ ବାୟୁ ପ୍ରବେଶ କରୁଥିବାରୁ ପାରଦ ଉପରମୁହାଁ ହେବା ନେଇ ପୂର୍ବାନୁମାନ କରିଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର ।

ପାଣିପାଗ କେନ୍ଦ୍ର ସୂଚନା ଅନୁସାରେ ବିଶେଷ କରି ଦିନ ସହ ରାତିରେ ୨ରୁ ୪ ଡିଗ୍ରୀ ପର୍ଯ୍ୟନ୍ତ ତାପମାତ୍ରା ବଢିପାରେ । ତାତି ବଢିବା ସହ ଆସନ୍ତା ୨୪ ତାରିଖ ପର୍ଯ୍ୟନ୍ତ ଘନ କୁହୁଡିର ଆସ୍ତରଣ ଦେଖିବାକୁ ମିଳିବ । ତେବେ ୨୩ ତାରିଖ ଯାଏଁ ଘନ କୁହୁଡି ନେଇ ୪ଟି ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି କରାଯାଇଛି ।୨୪ ତାରିଖରେ ଘନ କୁହୁଡି ନେଇ କଟକ, କେନ୍ଦ୍ରାପଡା ଓ ଜଗତସିଂହପୁରକୁ ୟେଲୋ ଆଲର୍ଟ ଜାରି କରାଯାଇଛି । ଏହି ସବୁ ଜିଲ୍ଲାରେ ଦୃଶ୍ୟମାନ କ୍ଷମତା ୫୦ ମିଟର ତଳକୁ ଖସିବା ନେଇ ପାଣିପାଗ ବିଭାଗ ସତର୍କ କରାଇଛି ।

ସୂଚନା ଅନୁସାରେ ରାଜ୍ୟରେ କିଛି ଦିନ ହେବ ଶୀତର ଲହରୀ ଜାରି ରହିଥିଲା । ସକାଳ ଓ ରାତି ସମୟରେ ଘରୁ ବାହାରିବା କଷ୍ଟକର ହୋଇ ପଡ଼ୁଥିଲା । ସକାଳେ କୁହୁଡିର ଚାଦର ଢାଙ୍କି ହୋଇଯାଉଥିଲା । ସନ୍ଧ୍ୟା ହେବା ମାତ୍ରେ ମାଡ଼ି ଆସୁଥିଲା ଜାଡ଼ । ଦେହ ଥରାଇ ଦେଉଥିଲା କୋହଲା ପବନ । ବିଶେଷ କରି ଉପାନ୍ତ ଓ ପାହାଡିଆ ଅଞ୍ଚଳରେ ଅଧିକ ଶୀତ ଅନୁଭୂତ ହେଉଥିଲା ।