କେନ୍ଦୁଝରରେ ଜେଏସଡବ୍ଲୁ ପ୍ରତିଷ୍ଠା କରିବ ଇସ୍ପାତ କାରଖାନା, ଓଡ଼ିଆଙ୍କୁ ମିଳିବ ନିଯୁକ୍ତି


ଭୁବନେଶ୍ବର: କେନ୍ଦୁଝରରେ ପ୍ରତିଷ୍ଠା ହେବ ଇସ୍ପାତ କାରଖାନା । ନିଯୁକ୍ତି ପାଇବେ ଓଡ଼ିଶାର ଯୁବବର୍ଗ । ଏନେଇ ଉତ୍କର୍ଷ ଓଡ଼ିଶା ସମ୍ମେଳନୀରେ ଯୋଗ ଦେବାକୁ ଆସିଥିବା ଜେଏସଡବ୍ଲୁ ମୁଖ୍ୟ ସଜ୍ଜନ ଜିନ୍ଦଲ ସୂଚନା ଦେଇଛନ୍ତି । ଭୁବନେଶ୍ୱରରେ ଆୟୋଜିତ ଉତ୍କର୍ଷ ଓଡ଼ଇଶାର ପ୍ରଥମ ଦିନରେ ସଜ୍ଜନ କହିଛନ୍ତି, କେନ୍ଦୁଝରରେ ହେବ ଇସ୍ପାତ କାରଖାନା । ପୋସ୍କୋ ସହ ଏନେଇ ଆଲୋଚନା ଚାଲିଛି । ୩୦ରୁ ୪୦ ହଜାର କୋଟିର ପୁଞ୍ଜିନିବେଶ କରିବାର ଲକ୍ଷ୍ୟ ରହିଛି ।

ସରକାର ଆସିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ନିଜ ନିର୍ବାଚନ ମଣ୍ଡଳୀରେ ଷ୍ଟିଲ୍‌ ପ୍ଲାଣ୍ଟ କରିବା ନେଇ ନିଜ ଅଞ୍ଚଳର ଲୋକଙ୍କୁ ପ୍ରତିଶ୍ରୁତି ଦେଇଥିଲେ । ଆଉ କେନ୍ଦୁଝରରେ କିଭଳି ଷ୍ଟିଲ ପ୍ଲାଣ୍ଟ ହେବ ସେନେଇ ବିଭିନ୍ନ ପର୍ଯ୍ୟାୟରେ ନିଜ ପ୍ରଶାସନିକ ଅଧିକାରୀଙ୍କଠାରୁ ଆରମ୍ଭ କରି ଜିନ୍ଦଲ ଅଧିକାରୀମାନଙ୍କ ସହ ଆଲୋଚନା କରିଥିଲେ । ଏବେ ସେହି ଆଲୋଚନା ସଫଳ ହେବାକୁ ଯାଉଛି । କେନ୍ଦୁଝରବାସୀଙ୍କ ଦୀର୍ଘଦିନର ସ୍ୱପ୍ନ ପୂରଣ ହେବାକୁ ଯାଉଛି । 

ଶିଳ୍ପପତିମାନେ ଓଡ଼ିଶାରେ ପୁଞ୍ଜି ନିବେଶକୁ ନେଇ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ଶିଳ୍ପ ମନ୍ତ୍ରୀ ସମ୍ପଦ ସ୍ୱାଇଁ ପ୍ରତିକ୍ରିୟା ରଖିଛନ୍ତି । ମୁଖ୍ୟମନ୍ତ୍ରୀ କହିଛନ୍ତି, ଓଡ଼ିଶା ଶିଳ୍ପର ହବ୍‌ ହେବାକୁ ଯାଉଛି । ଆଗାମୀ ଦିନରେ ଓଡ଼ିଶା ଶ୍ରେଷ୍ଠ-୫ ଶିଳ୍ପ ସମୃଦ୍ଧ ରାଜ୍ୟ ହେବ । ପ୍ରଧାନମନ୍ତ୍ରୀଙ୍କ ଆଶୀର୍ବାଦ ରହିଛି, ଆଜି ଓଡ଼ିଶା ପାଇଁ ଐତିହାସିକ ଦିନ ।

ସେହିପରି ଓଡ଼ିଶାରେ ପୁଞ୍ଜି ନିବେଶ ପାଇଁ ଏହା ଉପଯୁକ୍ତ ସମୟ । ଓଡ଼ିଶାକୁ ବହୁତ ନିବେଶକମାନେ ଆସିବେ, ଚୁକ୍ତି ସ୍ବାକ୍ଷର କରିବେ । ୨୯ ତାରିଖକୁ ଅପେକ୍ଷା କରନ୍ତୁ, ସମ୍ପୂର୍ଣ୍ଣ ତଥ୍ୟ ପାଇବେ ବୋଲି କହିଛନ୍ତି ଶିଳ୍ପ ମନ୍ତ୍ରୀ ।

ପ୍ରଧାନମନ୍ତ୍ରୀଙ୍କ ବିଧିବଦ୍ଧ ଶୁଭାରମ୍ଭ କାର୍ଯ୍ୟକ୍ରମ ପରେ ବିଭିନ୍ନ ଶିଳ୍ପ ସଂସ୍ଥା ଓ କମ୍ପାନୀର ସିଇଓମାନଙ୍କ ସହ ରାଉଣ୍ଡଟେବୁଲ ବୈଠକ କରିଥିଲେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ । ଓଡ଼ିଶାରେ ଶିଳ୍ପ ଅନୁକୂଳ ଭିତ୍ତିଭୂମି ଓ ଶିଳ୍ପନୀତି ବାବଦରେ ଗୋଟି ଗୋଟି କରି ଅବଗତ କରାଇବା ସହ ପ୍ରକଳ୍ପକୁ ବାସ୍ତବତାର ରୂପ ଦେବାର ନିର୍ଭର ପ୍ରତିଶ୍ରୁତି ଦେଇଥିଲେ ମୁଖ୍ୟମନ୍ତ୍ରୀ । ତା’ପରେ ଆରମ୍ଭ ହୋଇଯାଇଥିଲା ଆଗ୍ରହ ଓ ପ୍ରତିଶ୍ରୁତିର ସୁଅ ।