ନବ ଦାସ ହତ୍ୟାକାଣ୍ଡ: ଦୁଇ ସପ୍ତାହ ମଧ୍ୟରେ ସିବିଆଇ ତଦନ୍ତ ଲାଗି ଚିଠି ଲେଖିବେ ଦୀପାଳି !


ଝାରସୁଗୁଡ଼ା: ନବ ଦାସ ହତ୍ୟାକାଣ୍ଡକୁ ଦୁଇ ବର୍ଷ ପୂରିଥିଲେ ବି ଏହାକୁ ନେଇ ଚର୍ଚ୍ଚା ଓ ସନ୍ଦେହ ଥମିବାର ନାଁ ନେଉନି । ଗୋପାଳ ନବ ଦାସଙ୍କୁ ସତ୍ୟା କରିଛି ନା ଏହା ପଛରେ ଆଉ କାହାର ହାତ ରହିଛି ? କିଏ ସେ ମାଷ୍ଟର ମାଇଣ୍ଡ ଯିଏ ଆଜି ବି ଖୋଲାରେ ବୁଲୁଛି, ତାକୁ ନେଇ ପ୍ରଶ୍ନ ଉଠିବାରେ ଲାଗିଛି । ବିଜେପି ଓ କଂଗ୍ରେସ ସିବିଆଇ ତଦନ୍ତ ଦାବି କରିଥିବା ବେଳେ ବିଜେଡି କହୁଛି ଏହାର ଆବଶ୍ୟକତା ନାହିଁ । ସରକାର ଚାହିଁଲେ ସିବିଆଇ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇପାରିବେ । ଆଉ ଏହି ରାଜନୈତିକ ବୟାନ ବାଜି ଭିତରେ ସ୍ବର୍ଗତ ନବ ଦାସଙ୍କ ଝିଅ ଦୀପାଳି କହିଛନ୍ତି, ଶୀଘ୍ର ସେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ସରକାରଙ୍କ ପାଖରେ ଦାବି କରିବେ ।

ନବ ଦାସ ନା କେବଳ ସେତେବେଳେ ସ୍ବାସ୍ଥ୍ୟମନ୍ତ୍ରୀ ଥିଲେ, ପଶ୍ଚିମ ଓଡ଼ିଶାର ଜଣେ ଟାଣୁଆ ନେତା ଥିଲେ । ବଢ଼ି ଚାଲିଥିବା ରାଜନୈତିକ ପତିଆରା ମଧ୍ୟ କିଛି ଲୋକଙ୍କ ଆଖିରେ କଣ୍ଟା ଭଳି ଖେଞ୍ଚି ହେଉଥିଲା । ଆଉ ବ୍ୟବସାୟୀରେ ତ ଅନେକ ପ୍ରତିଯୋଗୀ ଓ ଗୁପ୍ତ ଶତ୍ରୁ ଥାଇ ପାରନ୍ତି । ଗତକାଲି ନବ ଦାସଙ୍କ ଦ୍ବିତୀୟ ଶ୍ରାଦ୍ଧ ବାର୍ଷିକିରେ ପୁଣି ଥରେ ଦୀପାଳି ସିବିଆଇ ତଦନ୍ତ କଥା ଉଠାଇଛନ୍ତି । ସପ୍ତାହେ କି ଦୁଇ ସପ୍ତାହ ମଧ୍ୟରେ ସେ ସିବିଆଇ ତଦନ୍ତ ପାଇଁ ଲିଖିତ ଭାବେ ଦେବି କରିବେ ବୋଲି କହିଛନ୍ତି । ଦୀପାଳିଙ୍କ ଏପରି ବୟାନ ଏବେ ରାଜ୍ୟ ରାଜନୀତିକୁ ଉଷ୍ଣ କରି ଦେଇଛି ।

ଶ୍ରାଦ୍ଧ ଦିବସରେ ରାଜନୈତିକ ବୟାନ ବାଜି ବି ଦେଖିବାକୁ ମିଳିଛି । ଭୁବନେଶ୍ବରରେ ନବକିଶୋର ଫାଉଣ୍ଡେସନ ପକ୍ଷରୁ ଆୟୋଜିତ ସ୍ମୃତିଚାରଣ ଉତ୍ସବରେ ଅନେକ ରାଜନେତା ଓ ବ୍ୟକ୍ତି ବିଶେଷ ଯୋଗ ଦେଇଥିଲେ । ବରିଷ୍ଠ ବିଧାୟକ ଜୟନାରାୟଣ ମିଶ୍ର ଏଥିରେ ଯୋଗ ଦେଇ ହତ୍ୟାକାଣ୍ଡକୁ ନେଇ ସାଂଘାତିକ ବୟାନ ଦେଇଛନ୍ତି । କହିଛନ୍ତି, ହତ୍ୟା ପଛରେ ଜଣେ ଆଇପିଏସ୍, ଜଣେ ଆଇଏଏସ୍ ଓ ଦୁଇ ରାଜନେତାଙ୍କ ହାତ ଅଛି । କୌଣସି ଶତ୍ରୁତା ନଥାଇ କାହିଁକି ଗୋପାଳ ହତ୍ୟାକଲା ? ଗୁଳି ବାଜିଥିବା ସାର୍ଟ, ଗୁଳି ଗଲା କୁଆଡେ ? ତାକୁ ନେଇ ବି ପ୍ରଶ୍ନ ଉଠାଇଛନ୍ତି ଜୟ । ସେହିପରି ରାଜସ୍ବ ମନ୍ତ୍ରୀ କହିଛନ୍ତି, ନବ ଦାସଙ୍କ ହତ୍ୟାକାଣ୍ଡ ଗୋଟିଏ ସ୍କ୍ରିପ୍ଟ । ଯେଉଁମାନେ ତଦନ୍ତ କରୁଥିଲେ ସେମାନଙ୍କ ଆଚରଣ ଉଚ୍ଚାରଣ କହୁଥିଲା ଯେ ସେମାନେ ତଦନ୍ତକୁ ଦିଗହରା କରୁଛନ୍ତି । ଯେଉଁ ଚାର୍ଜସିଟ୍ ପ୍ରସ୍ତୁତ ହୋଇଛି ତା’ର ବିଚାରରେ କୌଣସି ମୂଲ୍ୟ ନାହିଁ ।

ସେପଟେ କଂଗ୍ରେସନେତା ସନ୍ତୋଷ ସିଂ ସାଲୁଜା ବ୍ୟାବସାୟିକ ଶତ୍ରୁତା ଦିଗକୁ ପୁଣିଥରେ ଇଙ୍ଗିତ କରିଛନ୍ତି । କୋଲ୍ ଏରିଆ ଛାଡିବା ପାଇଁ ସ୍ବର୍ଗତ ନବ ଦାସଙ୍କୁ ତତ୍କାଳୀନ ଝାରସୁଗୁଡ଼ା ଏସ୍‌ପି ଓ ଜିଲ୍ଲାପାଳ କହୁଥିବା କହି ବିଜେଡି ସରକାର ସମୟର ତଦନ୍ତ ପ୍ରକ୍ରିୟାକୁ ଟାର୍ଗେଟ କରିଛନ୍ତି ସାଲୁଜା । କିନ୍ତୁ ବିଜେଡିର ଯୁକ୍ତି ହତ୍ୟାକାଣ୍ଡ ତଦନ୍ତରେ ଯଦି ସନ୍ଦେହ ଅଛି ତା’ହେଲେ ସରକାର ସିବିଆଇକୁ ତଦନ୍ତ ଭାର ଦିଅନ୍ତୁ । ଏବେ ସମସ୍ତଙ୍କ ନଜର ନବ ଦାସଙ୍କ ପରିବାର ଓ ସରକାର ଉପରେ । କେବେ ସ୍ବର୍ଗତ ଦାସଙ୍କ ପରିବାର ପକ୍ଷରୁ କେବେ ଲିଖିତ ଭାବେ ସିବିଆଇ ତଦନ୍ତ ଲାଗି ଦାବି କରାଯିବ ଓ ସରକାର କି ପଦକ୍ଷେପ ନେବେ ତାକୁ ସମସ୍ତେ ଅନାଇ ବସିଛନ୍ତି ।