ଭୁବନେଶ୍ବର: ପ୍ରଣବ ପ୍ରକାଶ ଦାସ ଓରଫ ବବି । ବିଜେଡିରେ ଜଣେ ପାଓ୍ବାରଫୁଲ୍ ନେତା । ନବୀନଙ୍କ ଏକ ହାତ କହିଲେ ଭୁଲ ହେବନାହିଁ । ବିଜେଡି ସାଙ୍ଗଠନିକ ସମ୍ପାଦକ ଭଳି ଦାୟିତ୍ବ ଥିଲା ବବିଙ୍କ କାନ୍ଧରେ । ହେଲେ ୨୦୨୪ ନିର୍ବାଚନରେ ବିଜେଡିର ବିପର୍ଯ୍ୟୟ ବବିଙ୍କ ପତିଆରାକୁ ନା କେବଳ କମାଇଛି, ନବୀନଙ୍କ ପାଖରେ ତାଙ୍କ ବିଶ୍ବାସନୀୟତାକୁ ମଧ୍ୟ କାଠଗଢ଼ାରେ ଛିଡ଼ା କରି ଦେଇଥିବା ଚର୍ଚ୍ଚା ହେଉଛି । କାରଣ, ନିକଟରେ ବିଜେଡିରେ ନେତାଙ୍କୁ ଦାୟିତ୍ବ ବଣ୍ଟନ କରାଯାଇଛି । ୨୭ଟି ନିର୍ବାଚନ ମଣ୍ଡଳର ଦାୟିତ୍ବ ୯ ଜଣ ନେତାଙ୍କୁ ଦିଆଯାଇଛି । ହେଲେ ଦଳର ସମସ୍ତ ସାଙ୍ଗଠନିକ କାମରେ ଏକ ନମ୍ବରରେ ରହୁଥିବା ବବିଙ୍କ ନାଁ ତାଲିକାର ଷଷ୍ଠ ସ୍ଥାନରେ ରହିଛି । ଯାହା ଇସାରା ଦେଉଛି, ବବିଙ୍କ ଉପରୁ ନବୀନଙ୍କ ମୋହ ତୁଟି ସାରିଛି । ବିଶେଷ କରି ଏହି ଦାୟିତ୍ବ ବଣ୍ଟନରେ ଯାଜପୁର ପାଇଁ ବବି ସମ୍ପୂର୍ଣ୍ଣ ଅଲୋଡ଼ା ହୋଇଯାଇଥିବା ମଧ୍ୟ ଚର୍ଚ୍ଚା ହେଉଛି । କାରଣ ବବିଙ୍କୁ ୫ଟି ନିର୍ବାଚନ ମଣ୍ଡଳୀର ଦାୟିତ୍ବ ମିଳିଥିବା ବେଳେ ଯାଜପୁରର ବଡ଼ଚଣା କେବଳ ତାଙ୍କ ହାତରେ ଲାଗିଛି । ଯାହା ଅମର ଶତପଥୀଙ୍କ ଗଡ଼ ଭାବେ ପରିଚିତ । ବଡ଼ଚଣା ବ୍ୟତୀତ ନାମିଳିଛି ଅନ୍ୟ କେଉଁ ନିର୍ବାଚନ ମଣ୍ଡଳୀ ଦାୟିତ୍ୱ ନା ଯାଜପୁରକୁ ସ୍ୱତନ୍ତ୍ର ଧ୍ୟାନ ଦେବାକୁ ବି ଚିଠିରେ କିଛି କୁହାଯାଇଛି l
ସୂଚନାଯୋଗ୍ୟ, କୋରେଇ, ଧର୍ମଶାଳା, ବଡ଼ଚଣା ଓ ସୁକିନ୍ଦା ନିର୍ବାଚନ ମଣ୍ଡଳୀକୁ ଏଥର ଅକ୍ତିଆର କରିଛି ବିଜେପି l ବିଞ୍ଝାରାପୁର, ଯାଜପୁର ଓ ବରୀ ଆସନରୁ ବିଜେଡି ବିଜୟ ହୋଇଛି l ହେଲେ ଯାଜପୁର ନିର୍ବାଚନ ମଣ୍ଡଳୀ ବା ବବିଙ୍କ ଗଡ଼ରେ ପଦ୍ମର ବଢୁଥିବା ସମର୍ଥନ ନା କେବଳ ବିଜେଡି, ବରଂ ବବିଙ୍କ ପାଇଁ ମଧ୍ୟ ସତର୍କ ଘଣ୍ଟି ବୋଲି ରାଜନୈତିକ ସମୀକ୍ଷକ ମତ ଦେଉଛନ୍ତି । ଯାଜପୁର ବିଜେଡି ବିଧୟିକା ସୁଜାତା ସାହୁ ୨୦୨୪ ନିର୍ବାଚନରେ ବିଜୟୀ ହୋଇଛନ୍ତି । ହେଲେ ବିଜେଡିର ଭୋଟ ହାର ଯଥେଷ୍ଟ କମିଛି l ଆଉ ବିଜେପି ଖାତାକୁ ଆସିଛି ବିଜେଡି ଭୋଟ l ଫଳରେ ଯାଜପୁରର ବିଜେଡି ସଂଗଠନ ଦୋହଲି ଯାଇଛି l ହେଲେ ଯାଜପୁରକୁ ବିଜେଡି ପ୍ରାଧାନ୍ୟ ନଦେଇ ଏବେ ବବିଙ୍କୁ ଅନ୍ୟତ୍ର ଦାୟିତ୍ୱ ଦେଇଛି l ଯାହା ଫଳରେ ବବିଙ୍କ ଉପରେ ବିଜେଡିର ବିଶ୍ୱାସ ତୁଟିଥିବା ସାଧାରଣରେ ଚର୍ଚ୍ଚା ହେଲାଣି l
ବବି ସାଙ୍ଗଠନିକ ଦାୟିତ୍ୱ ସମ୍ଭାଳିବା ପରେ ବିଜେଡି ଗଡ଼ ଦୋହଲି ଯାଇଥିବା କୁହାଯାଉଛି । ୨୦୨୪ ନିର୍ବାଚନରେ ପ୍ରଥମ ଥର ପାଇଁ ଦଳ ପରାଜୟ ସ୍ୱୀକାର କରିଛି l ହେଲେ ଆଗକୁ ଯାଜପୁରରେ ବବିଙ୍କୁ ଦଳ କେଉଁ ଦାୟିତ୍ୱ ଦେଇଛି, ନା ଦୂରେଇ ରଖୁଛି ତା ଦେଖିବାକୁ ବାକି ରହିଲା l ତେବେ ଏନେଇ ବବିଙ୍କ ପ୍ରତିକ୍ରିୟା ମିଳିପାରିନି ।