କଟକ: ୯ ତାରିଖରେ ବାରବାଟୀରେ ହେବ ଭାରତ ଓ ଇଂଲଣ୍ଡ ମଧ୍ୟରେ ମ୍ୟାଚ୍ । ମ୍ୟାଚକୁ ଆଉ ତିନି ଦିନ ବାକି ଥିବା ବେଳେ ସାରା ରାଜ୍ୟରେ ଛାଇ ଯାଇଛି କ୍ରିକେଟ ଫିବର । ମ୍ୟାଚ ପାଇଁ କ୍ରିକେଟ ପ୍ରେମୀଙ୍କ ମଧ୍ୟରେ ଦେଖିବାକୁ ମିଳୁଛି କ୍ରେଜ୍ । ଆଜିଠାରୁ ଅଫଲାଇନ୍ ଟିକେଟ ବିକ୍ରି ଆରମ୍ଭ ହୋଇଥିବା ବେଳେ ଗତ ରାତିରୁ ଲୋକେ ଲାଇନରେ ଛିଡ଼ା ହୋଇଛନ୍ତି । ଆସନ୍ତାକାଲି ମଧ୍ୟ ଟିକେଟ୍ ବିକ୍ରି ହେବ ।
ଗତ ରାତିରୁ ଷ୍ଟାଡିୟମରେ ଥିବା କାଉଣ୍ଟର ଆଗରେ ଦର୍ଶକଙ୍କ ଭିଡ଼ ଦେଖିବାକୁ ମିଳିଛି । ଏହାକୁ ଦେଖି କମିଶନରେଟ୍ ପୋଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ସକାଳ ୯ ଟାରୁ କାଉଣ୍ଟର ଖୋଲିଥିବା ବେଳେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ୧୭ ପ୍ଲାଟୁନ୍ ଫୋର୍ସ ମୁତୟନ କରାଯାଇଛି ।
ଅନ୍ୟପକ୍ଷରେ ସବୁଠୁ ବଡ଼ କଥା ହେଉଛି, ଏଥର ପ୍ରଥମ ଥର ରାଜ୍ୟର ସ୍ୱନାମଧନ୍ୟ ବ୍ୟକ୍ତି ବିଶେଷଙ୍କୁ ମ୍ୟାଚ୍ ଦେଖିବାର ସୁଯୋଗ ଦେବାକୁ ଲିଜେଣ୍ଡାରି ଲାଉଞ୍ଜର ବ୍ୟବସ୍ଥା କରିଛି ଓସିଏ ।
ଯେଉଁଥିରେ ବିଭିନ୍ନ କ୍ଷେତ୍ରରେ ରାଜ୍ୟକୁ ଗୌରବାନ୍ୱିତ କରିଥିବା ପଦ୍ମ ପୁରସ୍କାର ବିଜେତାଙ୍କୁ ସମ୍ମାନିତ କରାଯିବା ସହ ମ୍ୟାଚ୍ ଉପଭୋଗ କରିବାକୁ ସେମାନଙ୍କ ପାଇଁ ସ୍ୱତନ୍ତ୍ର ପ୍ୟାଭେଲିୟନର ବ୍ୟବସ୍ଥା କରାଯାଇଛି । ପଦ୍ମ ବିଜେତା ହଳଧର ନାଗ, ଜିତେନ୍ଦ୍ରୀୟ ହରିପାଲ, ପ୍ରତିଭା ଶତପଥୀ, ସୁଦର୍ଶନ ପଟ୍ଟନାୟକ, ଅରୁଣା ମହାନ୍ତି, ସୁଦର୍ଶନ ସାହୁଙ୍କ ଭଳି ୩୦ ଜଣଙ୍କୁ ଲିଜେଣ୍ଡାରି ବକ୍ସରେ ବସି ମ୍ୟାଚ୍ ଦେଖିବାକୁ ନିମନ୍ତ୍ରଣ କରିଛି ଓସିଏ ।