ୱାର୍ଡ ସଭ୍ୟ ଉପନିର୍ବାଚନରେ ସମସ୍ତ ସରପଞ୍ଚ ସମର୍ଥକ ପରାଜିତ


ବେଲଗୁଣ୍ଠା: ବେଲଗୁଣ୍ଠା ବ୍ଳକ୍ ରେ ସରପଞ୍ଚ ମାନଙ୍କ ପାଇଁ ବାଜିଛି ସତର୍କ ଘଣ୍ଟି । ଏହି ବ୍ଳକ୍ ରେ ଗତ ଦୁଇ ତାରିଖରେ ହୋଇଥିବା ୱାର୍ଡସଭ୍ୟ ଉପନିର୍ବାଚନରେ ସମସ୍ତ ସରପଞ୍ଚ ସମର୍ଥିତ ପ୍ରାର୍ଥୀ ପରାଜିତ ହେବା ଘଟଣା ସରପଞ୍ଚ ମାନଙ୍କୁ ବିବ୍ରତ କରିଦେଇଛି । ସୂଚନା ପ୍ରକାରେ ଗତ ଦୁଇ ତାରିଖରେ ବେଲଗୁଣ୍ଠା ବ୍ଳକ୍ ର ଗୋବରା, କ୍ଷତ୍ରିୟବରପୁର ଏବଂ ନେଟଙ୍ଗା ପଂଚାୟତର ଗୋଟିଏ ଲେଖାଏଁ ୱାର୍ଡ୍ ପାଇଁ ୱାର୍ଡସଭ୍ୟ ଉପନିର୍ବାଚନ ହୋଇଥିବା ବେଳେ ଆଜି ଗଣତି ଶେଷ ହୋଇ ଫଳାଫଳ ପ୍ରକାଶ ପାଇଛି । ଆଜି ସକାଳ ଆଠ ଘଣ୍ଟା ସମୟରେ ବେଲଗୁଣ୍ଠା ପଞ୍ଚାୟତ ସମିତି କାର୍ଯ୍ୟାଳୟ ଠାରେ କଡ଼ା ସୁରକ୍ଷା ବଳୟ ମଧ୍ୟରେ ରହିଥିବା ବାଲାଟ୍ ବାକ୍ସ ଗୁଡ଼ିକୁ ବ୍ଳକ୍ ନିର୍ବାଚନ ଅଧିକାରୀ ତଥା ବିଡ଼ିଓ ରୋଶନ୍ ଶତପଥୀ,ଏବିଡ଼ିଓ ପୂର୍ଣ୍ଣଚନ୍ଦ୍ର ପାଢୀ,ମାଜିଷ୍ଟ୍ରେଟ୍ ଦାୟିତ୍ୱରେ ଥିବା ଅତିରିକ୍ତ ତହସିଲଦାର ଧରଣୀଧର ବେହେରା, ବେଲଗୁଣ୍ଠା ଥାନା ଏସ୍ଆଇ ଅଭୟ ପ୍ରଧାନ ଏବଂ ଏସ୍ଆଇ ନାରାୟଣ ନାୟକଙ୍କ ଉପସ୍ଥିତିରେ ଖୋଲାଯାଇ ଗଣତି କରାଯାଇଥିଲା। ପ୍ରଥମେ ଗୋବରା ପଂଚାୟତର ମେନ୍ ରୋଡ଼୍ ଏବଂ ବାସୁଦେବପୁରକୁ ନେଇ ଗଠିତ ତିନି ନମ୍ବର୍ ୱାର୍ଡ୍ ପାଇଁ ଗଣତି ହୋଇଥିଲା। ଏହି ୱାର୍ଡ୍ ରେ ସର୍ବାଧିକ ୪୮୩ ଭୋଟର୍ ରହିଥିବା ବେଳେ ମୋଟ୍ ୨୬୭ ଜଣ ଭୋଟର୍ ମତଦାନ କରିଥିଲେ। ସେଥି ମଧ୍ୟରୁ ରୀତାଞ୍ଜଳି ସ୍ୱାଇଁ ୧୬୮ ଟି ଭୋଟ୍ ପାଇଥିବା ବେଳେ ସନ୍ତୋଷୀନୀ ଗୌଡ଼ଙ୍କୁ ମାତ୍ର ମାତ୍ର ୯୬ ଟି ଭୋଟ୍ ମିଳିଥିଲା । ତିନୋଟି ଭୋଟ୍ ନାକଚ ହୋଇଥିଲା । ରୀତାଞ୍ଜଳି ୭୨ ଟି ଭୋଟ୍ ବ୍ୟବଧାନରେ ବିଜୟୀ ହୋଇଥିଲେ ।ପ୍ରକାଶ ଥାଉକି ଗୋବରାରେ ବିଜେଡ଼ିର ଦୁଇ ଗୋଷ୍ଠୀ ମଧ୍ୟରେ ଲଢ଼େଇ ହୋଇଥିଲା । ନାମାଙ୍କନ ପାଇଁ ସୋରଡ଼ା ବିଧାୟକ ପୂର୍ଣ୍ଣଚନ୍ଦ୍ର ସ୍ଵାଇଁ ରୀତାଞ୍ଜଳିଙ୍କ ନାମ ଘୋଷଣା କରିବାପରେ ସରପଞ୍ଚ ସୁପ୍ରଭା ନାୟକ ଏବଂ ଗୋବରା ପଂଚାୟତ ବିଜେଡ଼ି ସଭାପତି ଚନ୍ଦ୍ରଶେଖର ନାୟକ ଗ୍ରାମରେ ନିଷ୍ପତି ହୋଇଥିବା କହି ସନ୍ତୋଷିନୀଙ୍କ ନାମ ଘୋଷଣା କରିଥିଲେ । ରୀତାଞ୍ଜଳିଙ୍କ ନିର୍ବାଚନୀ ମଙ୍ଗ ୪୭ ନମ୍ବର୍ ଜୋନ୍ ସଭାପତି ପ୍ରଦ୍ୟୁମ୍ନ ପାତ୍ର ଏବଂ ସମିତିସଭ୍ୟ ବିଭୂପାଦ ଜେନା ସମ୍ଭାଳିଥିବା ବେଳେ ପଂଚାୟତ ସଭାପତି ଚନ୍ଦ୍ରଶେଖର ନାୟକ ଏବଂ ସରପଞ୍ଚ ସୁପ୍ରଭା ନାୟକ ସନ୍ତୋଷିନୀଙ୍କ ପାଇଁ ମଙ୍ଗ ଧରିଥିଲେ । କ୍ଷତ୍ରିୟବରପୁର ପଂଚାୟତର କୋଡ଼ିଏ ନମ୍ବର୍ ୱାର୍ଡ୍ ରେ ସମୁଦାୟ ୨୭୩ ଜଣ ଭୋଟର୍ ରହିଥିବା ବେଳେ ମୋଟ୍ ୧୩୭ ଜଣ ଭୋଟର୍ ମତଦାନ କରିଥିଲେ । ଏଥି ମଧ୍ୟରୁ ବିଜେଡ଼ିର ସୌଦାମିନୀ ରଥ ୭୦ ଖଣ୍ଡ ଭୋଟ ପାଇଥିବା ବେଳେ ସରପଞ୍ଚ କମଳ କୁମାରୀ ପ୍ରଧାନଙ୍କ ସମର୍ଥିତ ପ୍ରାଥୀ ବିଜେପିର ସୁପ୍ରଭା ଶତପଥୀ ୬୧ ଖଣ୍ଡ ଭୋଟ ପାଇଥିଲେ । ଛଅଟି ଭୋଟ୍ ନାକଚ ହୋଇଥିବା ବେଳେ ନଅଟି ଭୋଟ୍ ବ୍ୟବଧାନରେ ବିଜେଡ଼ି ସମର୍ଥିତ ପ୍ରର୍ଥୀ ସୌଦାମିନୀ ସରପଞ୍ଚ ସମର୍ଥିତ ପ୍ରାର୍ଥୀ ସୁପ୍ରଭାଙ୍କୁ ପରାସ୍ତ କରିଥିଲେ । ସେହିପରି ନେଟେଙ୍ଗା ପଂଚାୟତ ରତନପୁର ଗ୍ରାମକୁ ନେଇ ଗଠିତ ବାର ନମ୍ବର୍ ୱାର୍ଡ୍ ରେ ସମୁଦାୟ 250 ଭୋଟର୍ ମଧ୍ୟରୁ 172 ଜଣ ଭୋଟର୍ ମତଦାନ କରିଥିଲେ । ସେଥିମଧ୍ୟରୁ ବିଜେପି ସମର୍ଥିତ ପ୍ରାର୍ଥୀ ଜ୍ୟୋତ୍ସ୍ନାରାଣୀ ସେଠୀ 96 ଟି ଭୋଟ୍ ପାଇଥିବା ବେଳେ ବିଜେଡ଼ି ସମର୍ଥିତ ପ୍ରାର୍ଥୀ ରୁନା ଗୌଡ 72 ଟି ଭୋଟ୍ ପାଇଥିଲେ । ଚାରୋଟି ଭୋଟ୍ ନାକଚ ହୋଇଥିଲା । ନେଟେଙ୍ଗା ସରପଞ୍ଚ ସୁପ୍ରଭା ଗୌଡ଼ଙ୍କର ସମର୍ଥକ ରୁନା 72 ଟି ଭୋଟ୍ ପାଇ ପରାଜିତ ହୋଇଥିବା ବେଳେ ବରିଷ୍ଠ ବିଜେପି ନେତା ପ୍ରହଲ୍ଲାଦ ଲେଙ୍କାଙ୍କ ସମର୍ଥକ ଜ୍ୟୋତ୍ସ୍ନାରାଣୀ 96 ଟି ଭୋଟ୍ ପାଇ 14 ଭୋଟରେ ବିଜୟୀ ହୋଇଥିଲେ । ଏହି ତିନୋଟି ୱାର୍ଡ୍ ଉପନିର୍ବାଚନରେ ତିନି ଜଣ ସରପଞ୍ଚଙ୍କର ସମର୍ଥିତ ପ୍ରାର୍ଥି ପରାଜିତ ହୋଇଛନ୍ତି । ଯାହା ସରପଞ୍ଚ ମାନଙ୍କ ପାଇଁ ଏକ ସତର୍କ ଘଣ୍ଟି ସଦୃଶ ହୋଇଛି । ଏହି ସରପଞ୍ଚ ମାନେ ମାତ୍ର ଦେଢ଼ ବର୍ଷ ମଧ୍ୟରେ ଲୋକ ସମ୍ପର୍କ ହରାଇ ସାରିଲେଣି । ତେଣୁ ସେମାନଙ୍କର ସମର୍ଥିତ ପ୍ରାର୍ଥୀ ଆଜି ତିନୋଟି ସ୍ଥନରେ ପରାଜିତ ହୋଇଛନ୍ତି । ତେଣୁ ଆଗାମୀ ଦିନରେ ସାଧରଣ ଲୋକଙ୍କ ସହ ଉତ୍ତମ ସମ୍ପର୍କ ରଖି ସେମାନଙ୍କ ପାଇଁ କାମ ନକଲେ ଏହି ସରପଞ୍ଚ ମାନଙ୍କର ଅବସ୍ଥା ଆହୁରି ତଳିତଳାନ୍ତ ହୋଇଯିବା ନେଇ ବୁଦ୍ଧିଜୀବୀ ମହଲାରେ ଆଲୋଚନା ହୋଇଛି ।