ଭୁବନେଶ୍ବର: କଳାଧନର ବାଦଶାହ କୁହାଯାଉଥିବା ମାଲକାନଗିରି ଜିଲ୍ଲା ଜଳ ବିଭାଜିକା ପ୍ରକଳ୍ପ ଉପନିର୍ଦ୍ଦେଶକ ଶାନ୍ତନୁ ମହାପାତ୍ରଙ୍କ ସମ୍ପତ୍ତି ରାଜ୍ୟବାସୀଙ୍କୁ ଚକିତ କରି ଦେଇଛି । ବାବୁ ଲୋକଙ୍କ ପେଟକୁ ମାରି ନିଜ କଳାଧନର ଲକର ଭରି ରଖିଛନ୍ତି । ଭିଜିଲାନ୍ସ ଟିମ୍ ଯେଉଁଠି ହାତ ମାରୁଛି ସେଇଠୁ ପାଉଛି ପୁଳା ପୁଳା ଟଙ୍କା, ସନା ସହ ଦାମୀ ଜିନିଷ । ଭୁବନେଶ୍ବରରେ ଥିବା ବାବୁଙ୍କ ଏସବିଆଇ ଲକର୍ ଖୋଲାଯିବ । ଏଥିପାଇଁ ଜୟପୁରରୁ ଭିଜିଲାନ୍ସର ଏକ ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ଆସୁଛି । ଏବେ ସମସ୍ତଙ୍କ ନଜର ବାବୁଙ୍କ ଲକର୍ ଉପରେ । ଆଉ ସମସ୍ତଙ୍କ ମନେରେ ଗୋଟିଏ ପ୍ରଶ୍ନ ବାବୁଙ୍କ ଲକରରୁ ବାହାରିବ କେତେ ?
ସୂଚନାଯୋଗ୍ୟ, ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଶାନ୍ତନୁଙ୍କ ଘରେ ଭିଜିଲାନ୍ସ ଟିମ୍ ଚଢ଼ାଉ କରିଥିଲା । ହେଲେ ଭିଜିଲାନ୍ସ ଅଧିକାରୀଙ୍କୁ ଜଣା ନଥିଲା ସେମାନେ ଏମିତି ଏକ ମାଛକୁ ଧରିବାକୁ ଯାଉଛନ୍ତି, ଯାହା ପୂରା ସମୁଦ୍ରକୁ ସଫା କରିଦେବାକୁ ବସିଛି । ବାବୁ ନିଜ ଘରେ ନଗଦ ୧ କୋଟି ୯୭ ଲକ୍ଷ ଟଙ୍କା ରଖିଥିଲେ । ଜୟପୁର ସ୍ଥିତ ଘରୁ ଭିଜିଲାନ୍ସ ଏହି ଟଙ୍କା ସହ ୩ ଶହ ଗ୍ରାମର ସୁନା ଅଳଙ୍କାର ଠାବ କରିଛି ।
ସରକାରୀ ବାବୁ ଏତେ ଟଙ୍କା ଆଣିଲେ କେଉଁଠୁ ? କୋଟି କୋଟି ଟଙ୍କା ବାବୁ ଜଣଙ୍କ ଘରେ କାହିଁକି ରଖିଥିଲେ ? ଏବେ ତାହାର ଉତ୍ସ ଖୋଜିବ ଭିଜିଲାନ୍ସ । ଭୁବନେଶ୍ବର ଓ ଜୟପୁରରେ ବାବୁଙ୍କ ରହିଛି ୪ଟି ମୂଲ୍ୟବାନ ପ୍ଲଟ । ଏକାଧିକ ବ୍ୟାଙ୍କ ଖାତା ଓ ୩ କୋଟିର ଘରର ହିସାବ ବାହାର କରିଛି ଭିଜିଲାନ୍ସ । ଏହାସହ ମାଲକାନଗିରି ଜିଲ୍ଲାରେ ୪ଟି ସ୍ଥାନରୁ ୯ ଲକ୍ଷ ଟଙ୍କା ଜବତ ହୋଇଛି । ଆଜି ଭୁବନେଶ୍ବର ଏସବିଆଇରେ ଥିବା ଲକରକୁ ଯାଞ୍ଚ କରିବା ପାଇଁ ଜୟପୁରରୁ ଏକ ସ୍ବତନ୍ତ୍ର ଟିମ୍ ଭୁବନେଶ୍ବର ଆସୁଛି ।
ଭିଜିଲାନ୍ସ ସୂଚନା ଆଧାରରେ ବାବୁଙ୍କ ସମ୍ପତ୍ତିର ତାଲିକା ପ୍ରସ୍ତୁତ କରିବା ପାଇଁ ଆହୁରି ୨ରୁ ୩ ଦିନ ସମୟ ଲାଗିବ । ରାଜ୍ୟର ୯ଟି ସ୍ଥାନରେ ମୋଟ୍ ୬୦ ଜଣ ଭିଜିଲାନ୍ସ ଅଧିକାରୀ ତଦନ୍ତ କରୁଛନ୍ତି ।