ବାଇକରେ ଆସି ଖଣ୍ଡା ବୁଲାଇ ଆତଙ୍କ ଖେଳାଇଲେ ୧୦ ଯୁବକ


କେନ୍ଦ୍ରାପଡ଼ା: ପଟ୍ଟାମୁଣ୍ଡାଇ ସବୁଦିନ ପରି ଥିଲା ଚଳଚଞ୍ଚଳ । ବଜାରରେ ଲାଗିଥିଲା ଲୋକଙ୍କ ଗହଳି । ହଠାତ ଦ୍ରୁତଗତିରେ ୫ଟି ବାଇକରେ ୧୦ରୁ ଅଧିକ ଯୁବକ ପହଁଚି ଗଲେ । କେହି କିଛି ବୁଝିବା ଆଗରୁ ଗାଳିଗୁଲଜ କରିବା ଆରମ୍ଭ କରିଦେଲେ । ଆଉ ସାଙ୍ଗରେ ଆଣିଥିବା ଖଣ୍ଡା, କୋଦାଳ ବେଣ୍ଟ ସହ ବିଭିନ୍ନ ମାରଣାସ୍ତ୍ର ଦେଖାଇ ଲୋକଙ୍କୁ କଲେ ଭୟଭୀତ । ଯାହାକୁ ଦେଖିଲେ ଜୀବନରୁ ମାରି ଦେବାକୁ ଦେଲେ ଧମକ । ପୋଲିସକୁ ଚ୍ୟାଲେଞ୍ଜ ଦେବା ସହ ସହର ଭିତିରେ ଦୁର୍ବୃତ୍ତଙ୍କ ଏପରି ଆତଙ୍କରାଜର ଭିଡ଼ିଓ ଏବେ ଭାଇରାଲ ହେବାରେ ଲାଗିଛି ।

ଖବର ପାଇ ପୋଲିସ ପିସିଆର ଭ୍ୟାନ ସହ ଆସି ପହଞ୍ଚିବା ପରେ ଦୁର୍ବୃତ୍ତମାନେ ଛତ୍ରଭଙ୍ଗ ଦେଇଥିଲେ । ପୋଲିସ ସେମାନଙ୍କ ପିଛା କରିଥିଲେ ବି ସେମାନେ ଖସି ଯିବାକୁ ସକ୍ଷମ ହୋଇଥିଲେ । ପରେ ପୋଲିସ ଆଉ କିଛି ପଦକ୍ଷେପ ଗ୍ରହଣ ନକରି ଚୁପ ବସି ଯାଇଛି । ଯାହାକୁ ନେଇ ପଟ୍ଟାମୁଣ୍ଡାଇ ସହରରେ ଭୟର ବାତାବରଣ ସୃଷ୍ଟି ହୋଇଛି ।

ଏଭଳି ମାରଣାସ୍ତ୍ର ଧରି ବୁଲିବା ଘଟଣାକୁ ପଟ୍ଟାମୁଣ୍ଡାଇର ବୁଦ୍ଧିଜୀବୀ ନିନ୍ଦା କରିବା ସହିତ ଘଟଣାକୁ ପୋଲିସ ତଦନ୍ତ କରି ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ କରିବା ଆବଶ୍ୟକ ବୋଲି ଦାବି କରିଛନ୍ତି ।