ନୂଆଦିଲ୍ଲୀ: ଆଜି ସଂସଦରେ ନୂଆ ଆୟକର ବିଲ୍ ଆଗତ ହେବ । ଯାହାକି ପୁରୁଣା ଆୟକର ଆଇନ ୧୯୬୧କୁ ବଦଳାଇ ଦେବ । ୬୩ ବର୍ଷ ପରେ ଆସିଥିବା ଏହି ନୂଆ ବିଲରେ ଅନେକ ପରିବର୍ତ୍ତନ କରାଯାଇଛି । ଆୟକର ଆଇନ ୨୦୨୫କୁ ପୂର୍ବ ଅପେକ୍ଷା ସରଳ, ସ୍ୱଚ୍ଛ ଓ ସାଧାରଣ କରଦାତାଙ୍କ ବୁଝିବା ଭଳି କରାଯାଇଛି । ଏଥିରେ ଡିଜିଟାଇଜେସନ୍ ଠାରୁ ଆରମ୍ଭ କରି ଟିକସ ପ୍ରଣାଳୀକୁ ସରଳୀକରଣ, ଟିକସ ଦେୟରେ ଉନ୍ନତି ଓ ଟିକସ ଫାଙ୍କି ନେଇ ନିୟମକୁ ଅଧିକ କଠୋର କରିବା ପାଇଁ ପ୍ରସ୍ତାବ ଦିଆଯାଇଛି ।
ନୂତନ ଆୟକର ବିଲରେ ପ୍ରଥମ ଓ ପ୍ରମୁଖ ପରିବର୍ତ୍ତନ ହେଉଛି, ଏହାକୁ ସାଧାରଣ ଲୋକଙ୍କ ବୁଝିବା ପାଇଁ ପୂର୍ବ ଅପେକ୍ଷା ସହଜ ଶବ୍ଦ ସହିତ ଅଧିକ ସଂକ୍ଷିପ୍ତ କରାଯାଇଛି । ଉଦାହରଣ ସ୍ୱରୂପ, ୧୯୬୧ ଆୟକର ବିଲ୍ରେ ୮୮୦ ପୃଷ୍ଠା ଥିଲା, କିନ୍ତୁ ଛଅ ଦଶନ୍ଧି ପରେ, ଏଥିରେ ପୃଷ୍ଠା ସଂଖ୍ୟା ଏବେ ୬୨୨କୁ ହ୍ରାସ ପାଇଛି । ନୂତନ ଟିକସ ବିଲରେ ୫୩୬ଟି ଧାରା ଓ ୨୩ଟି ଅଧ୍ୟାୟ ରହିଛି ।
ଆଜି ଉପସ୍ଥାପିତ ହେବାକୁ ଯାଉଥିବା ନୂତନ ବିଲରେ କର ବର୍ଷର ଧାରଣା ପ୍ରଚଳନ କରାଯାଇଛି । ଯାହା ଏପର୍ଯ୍ୟନ୍ତ ବ୍ୟବହୃତ ମୂଲ୍ୟାଙ୍କନ ବର୍ଷ ଓ ପୂର୍ବ ବର୍ଷକୁ ବଦଳାଇବ । ସାଧାରଣତଃ, ଦେଖାଯାଇଛି ଯେ ଟିକସ ଦେବା ସମୟରେ କରଦାତାମାନେ ମୂଲ୍ୟାୟନ ଓ ଆର୍ଥିକ ବର୍ଷ ବିଷୟରେ ଦ୍ୱନ୍ଦ୍ୱରେ ପଡୁଥିଲେ । କିନ୍ତୁ ଏବେ ଏଗୁଡ଼ିକୁ ଦୂର କରି ନୂଆ ଆଇନ୍ ଅନୁସାରେ କେବଳ ଟିକସ ବର୍ଷ ବ୍ୟବହାର କରାଯିବ । ଉଦାହରଣ ଭାବେ ୧ ଏପ୍ରିଲ୍, ୨୦୨୫ ରୁ ୩୧ ମାର୍ଚ୍ଚ ୨୦୨୬ ପର୍ଯ୍ୟନ୍ତ ଟିକସ ବର୍ଷ ୨୦୨୫-୨୬ ହେବ ।
ଅନ୍ୟପଟେ ଯଦି ଆପଣ ଜଣେ ବେତନଭୋଗୀ ବ୍ୟକ୍ତି, ତେବେ ଆପଣଙ୍କୁ ପୁରୁଣା ଟିକସ ବ୍ୟବସ୍ଥା ଅନୁଯାୟୀ ୫୦,୦୦୦ ଟଙ୍କାର ଷ୍ଟାଣ୍ଡାର୍ଡ଼ ରିହାତି ମିଳିବ । କିନ୍ତୁ ଯଦି ଆପଣ ନୂତନ ଟିକସ ବ୍ୟବସ୍ଥା ବାଛନ୍ତି, ତେବେ ଏହି ରିହାତି ଆପଣଙ୍କ ପାଇଁ ୭୫,୦୦୦ ଟଙ୍କା ପର୍ଯ୍ୟନ୍ତ ଉପଲବ୍ଧ ହେବ । ଏହାସହ ନୂତନ ଟିକସ ବ୍ୟବସ୍ଥା ଅନୁଯାୟୀ ଟିକସ ସ୍ଲାବରେ କୌଣସି ପରିବର୍ତ୍ତନ ହେବ ନାହିଁ ଓ ବଜେଟରେ ଘୋଷିତ ହାର ସମାନ ରହିବ ।
୪ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଆୟ କୌଣସି ଟିକସ ନାହିଁ
୪ ଲକ୍ଷରୁ ୮ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୫ ପ୍ରତିଶତ ଟିକସ
୮ ଲକ୍ଷରୁ ୧୨ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୦ ପ୍ରତିଶତ ଟିକସ
୧୨ ଲକ୍ଷରୁ ୧୬ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୧୫ ପ୍ରତିଶତ ଟିକସ
୧୬ ଲକ୍ଷରୁ ୨୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ୨୦ ପ୍ରତିଶତ ଟିକସ
ପେନସନ, NPS ଏବଂ ବୀମା ଉପରେ ଛାଡ଼
ନୂତନ ଆୟକର ବିଲ୍ ଅନୁଯାୟୀ, ପେନସନ, NPS ଅବଦାନ ଓ ବୀମା ଉପରେ ଟିକସ ଛାଡ଼ ଜାରି ରହିବ । ଅବସର ପାଣ୍ଠି, ଗ୍ରାଚ୍ୟୁଇଟି ଓ ପିଏଫ୍ ଅବଦାନକୁ ମଧ୍ୟ ଟିକସ ଛାଡ଼ ପରିସରକୁ ରଖାଯାଇଛି । ELSS ମ୍ୟୁଚୁଆଲ୍ ଫଣ୍ଡରେ ନିବେଶ ଉପରେ ମଧ୍ୟ ଟିକସ ରିହାତି ଦିଆଯିବ ।
ଟିକସ ଫାଙ୍କିବା ଉପରେ ଦଣ୍ଡ
ନୂତନ ଟିକସ ବିଲରେ, ଟିକସ ଫାଙ୍କିବା ଲୋକଙ୍କ ଉପରେ ଅଧିକ କଠୋରତା ଓ ଦଣ୍ଡ ପାଇଁ ବ୍ୟବସ୍ଥା କରାଯାଇଛି । ଯେଉଁମାନେ ଜାଣିଶୁଣି ଟିକସ ଫାଙ୍କି ଦିଅନ୍ତି ସେମାନଙ୍କ ବିରୋଧରେ ମାମଲା ରୁଜୁ ହୋଇପାରେ । ଟିକସ ପୈଠ ନକରିବା ଦ୍ୱାରା ଅଧିକ ସୁଧ ଓ ଜରିମାନା ଲାଗିପାରେ । ଯଦି ଜଣେ ବ୍ୟକ୍ତି ତାଙ୍କ ଆୟ ଲୁଚାଇବାକୁ ଚେଷ୍ଟା କରନ୍ତି, ତେବେ ତାଙ୍କ ଆକାଉଣ୍ଟକୁ ସିଜ୍ ବି କରାଯାଇପାରିବ । ଏହାବ୍ୟତୀତ ଭୁଲ କିମ୍ବା ଅସମ୍ପୂର୍ଣ୍ଣ ସୂଚନା ଦେବା ପାଇଁ କଠିନ ଦଣ୍ଡ ଲାଗୁ ହେବ।
E-KYC ବାଧ୍ୟତାମୂଳକ
କେନ୍ଦ୍ର ସରକାର ନୂତନ ଟିକସ ବିଲ୍ ମାଧ୍ୟମରେ ବର୍ତ୍ତମାନର ଟିକସ ବ୍ୟବସ୍ଥାକୁ ଡିଜିଟାଲ୍ ଓ ଅଧିକ ସ୍ୱଚ୍ଛ କରିବାକୁ ଲକ୍ଷ୍ୟ ରଖିଛନ୍ତି । ଏଥିପାଇଁ ଇ-କେୱାଇସି ଏବଂ ଅନଲାଇନ୍ ଟିକସ ପେମେଣ୍ଟକୁ ବାଧ୍ୟତାମୂଳକ କରାଯାଉଛି । ଇ-ଫାଇଲିଂକୁ ବାଧ୍ୟତାମୂଳକ କରିବା ଦ୍ୱାରା ଟିକସ ଦେୟରେ ସ୍ୱଚ୍ଛତା ବୃଦ୍ଧି ପାଇବ ।
କୃଷି ଆୟ ଉପରେ ଟିକସ ଛାଡ଼
ନୂତନ ଟିକସ ବିଲରେ, କିଛି ସର୍ତ୍ତ ଅନୁଯାୟୀ କୃଷି ଆୟକୁ ଟିକସ ମୁକ୍ତ ରଖାଯାଇଛି । ଧାର୍ମିକ ଟ୍ରଷ୍ଟ, ଅନୁଷ୍ଠାନ ଓ ଦାନକୁ ଦିଆଯାଇଥିବା ଟଙ୍କା ଉପରେ ଟିକସ ଛାଡ଼ ଉପଲବ୍ଧ ହେବ । ଏହାସହ ଇଲେକ୍ଟୋରାଲ୍ ଟ୍ରଷ୍ଟକୁ ମଧ୍ୟ ଟିକସରୁ ମୁକ୍ତ କରାଯାଇଛି ।