ଝାରସୁଗୁଡା ୧୭/୨ (ଓଡ଼ିଶା ନ୍ୟୁଜ) ସ୍ୱାମୀ ସ୍ତ୍ରୀ ଓ ପିଲା ଛୁଆଙ୍କୁ ନେଇ ଏକ ହସଖୁସିରେ ସଂସାର ଗଢି ଉଠିଥାଏ । ହେଲେ କୌଣସି କାରଣ ବଶତଃ ସ୍ୱାମୀ କିମ୍ବା ସ୍ତ୍ରୀର ଅନୁପସ୍ଥିତ ପରିଲକ୍ଷିତ ହୁଏ ତାହେଲେ ପରିବାର ପୋଷଣ ଜଣକ ପାଇଁ ଦୁଃସହ ହୋଇ ପଡ଼ିଥାଏ । ଯାହାର ଏକ ଜ୍ୱଳନ୍ତ ଉଦାହର ଦେଖିବାକୁ ମିଳିଛି ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ଅନ୍ତର୍ଗତ ଛୁଇଁପାଲି ଗ୍ରାମର ଜଣେ ଅସହାୟ ବିଧବା ମହିଳାଙ୍କ କ୍ଷେତ୍ରରେ ।
ସୂଚନା ମତେ ଭିକମପାଲି ପଞ୍ଚାୟତ ଅନ୍ତର୍ଗତ ଛୁଇପାଲି ଗ୍ରାମର ଜଗନ୍ନାଥ ବାଗ ଓ ସ୍ତ୍ରୀ ମିତା ବାଗ ଉଭୟେ ସ୍ବାମୀ ସ୍ତ୍ରୀ ଯାହାବି ରୋଜଗାର କରୁଥିଲେ ସେଥିରେ ହସଖୁସିରେ ସେମାନଙ୍କ ସଂସାର ଚଳି ଯାଉଥିଲା । କିନ୍ତୁ କଥାରେ ଅଛି ବିଧିର ବିଧାନ କେ କରିବ ଆନ । କୌଣସି କାରଣ ବଶତଃ ସ୍ୱାମୀ ଜଗନ୍ନାଥ ୨୦୨୨ ନଭେମ୍ବର ୧୦ ତାରିଖ ଦିନ ସ୍ତ୍ରୀ ମିତାକୁ ଏକାକରି ଆର ପାରିକି ଚାଲିଗଲେ । ହେଲେ ବିଧବା ମିତାଙ୍କ ଦୁଃଖସୁଖ ବୁଝିବା ପାଇଁ ଗାଁର ସାହି ପଡିଶା ବ୍ୟତୀତ ପରିବାରରେ ଆଉ କେହି ନାହାନ୍ତି । ସ୍ୱାମୀ ଜଗନ୍ନାଥଙ୍କ ମୃତ୍ୟୁ ପରେ ଅସହାୟ ବିଧବା ମିତା ଜୀବନ ଜଞ୍ଜାଳ ଦୋ ଛକିରେ ଛିଡ଼ା ହୋଇ ବର୍ତ୍ତମାନ ଅତି ଦୟନୀୟ ଅବସ୍ଥାରେ ଜୀବନ ଅତି ବାହିତ କରୁଛନ୍ତି । ତାଙ୍କର ପରିବାର କହିଲେ ଦେଢ଼ ବର୍ଷର ଝିଅ ଏବଂ ସେ ନିଜେ । ସରକାରୀ ସହାୟତା ବାବଦକୁ ମାସକୁ ମାତ୍ର ୫ କେଜି ଚାଉଳ ଓ ବିଧବା ଭତ୍ତା ବାବଦକୁ ଏକ ହଜାର ଟଙ୍କା ମିଳୁଛି । ଯାହା ସମୁଦ୍ର କୁ ଶଙ୍ଖେ ପାଣି ସଦୃଶ । କୁନି ଝିଅର ଲାଳନ ପାଳନ ଯାବତୀୟ ଖର୍ଚ୍ଚ ସହ ନିଜେ ମାସ ଟିଏ ଚଲିବା ପାଇଁ ବହୁ କଷ୍ଟସାଧ୍ୟ ହୋଇ ପଡୁଛି । ଏହା ବ୍ୟତୀତ ତାଙ୍କ ଛୋଟ ଝିଅ ଟିଏ ଥିବା ଯୋଗୁଁ କୌଣସି ଜାଗାକୁ କାମଧନ୍ଦା ପାଇଁ ଯିବା ତାଙ୍କ ପକ୍ଷେ ସମ୍ଭବ ପର ହେଉନାହିଁ । ଫଳରେ ଅନେକ ସମୟରେ ଓଳିଏ ଖାଇଲେ ଓଳିଏ ଉପବାସ ରହିବାକୁ ପଡ଼ୁଥିବା ମିତା କୋହଭରା କଣ୍ଠରେ ପ୍ରକାଶ କରିଛନ୍ତି । ତାଙ୍କର ଏପରି ଅବସ୍ଥା ଦେଖି ଆଖ ପାଖ ସାହି ପଡିଶା ଲୋକେ କେବେ କେମିତି ଚାଉଳ, ରାସନ ସାମଗ୍ରୀ ଆଦି ତାଙ୍କୁ ସାହାଯ୍ୟ କରିଥାନ୍ତି ।
ଏହା ବ୍ୟତୀତ ସେ ରହୁଥିବା ଘର ଖଣ୍ଡିକର ଅବସ୍ଥା ମଧ୍ୟ ନ କହିବା ଭଲ । ଆର୍ଥିକ ଅଭାବ ଅନାଟନ ଯୋଗୁଁ ସେ ଘର ମରାମତି କାର୍ଯ୍ୟ କରି ପାରୁନଥିବା ଯୋଗୁଁ ଦିନ ବେଳା ସୂର୍ଯ୍ୟ ଓ ରାତିରେ ଚନ୍ଦ୍ର ଦେଖାଯିବା ଭଳି ପରିସ୍ଥିତିରେ ପହଞ୍ଚିଲାଣି । ଯଦି ବର୍ଷା ହୋଇ ଯାଏ ତାହେଲେ ପରଘର ବାରଣ୍ଡା ହିଁ ମା ଝିଅଙ୍କ ପାଇଁ ଆଶ୍ରୟ ସ୍ଥଳ ପାଲଟି ଥାଏ । ସରକାରୀ ଘର ଖଣ୍ଡିକ ପାଇଁ ଅନେକ ଥର ଗୁହାରି କରିଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା ତାଙ୍କ ଦୟନୀୟ ଅବସ୍ଥା ପ୍ରତି କାହାରି ସୁଦୃଷ୍ଟି ପଡ଼ିପାରି ନାହିଁ । ତେଣୁ ଏହି ଅସହାୟ ବିଧବା ମହିଳା ମିତା ବାଗ ପ୍ରତି ଜିଲ୍ଲା ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ଦୃଷ୍ଟି ଦେଇ ତାଙ୍କୁ “ଅନ୍ତ୍ୟୋଦୟ ଅର୍ଣ୍ଣପୂର୍ଣ୍ଣା” ଯୋଜନାରେ ସାମିଲ କରି ୫ କେଜି ବଦଳରେ ୩୫ କେଜି ଚାଉଳ ଦେବା ସହ ଅନ୍ୟାନ୍ୟ ସରକାରୀ ସୁବିଧା ଯୋଗାଇ ଦେବାକୁ ଛୁଇପାଲି ଗ୍ରାମବାସୀ ଜିଲ୍ଲା ପ୍ରଶାସନକୁ ଅନୁରୋଧ କରିଛନ୍ତି ।
ଜୀବନ ଜଞ୍ଜାଳ ଦୋ ଛକିରେ ବିଧବା ମିତା ବାଗ ସରକାରୀ ସହାୟତା ପାଇଁ ଗ୍ରାମବାସୀଙ୍କ ଅନୁରୋଧ
