କମେଣ୍ଟମରାରୁ ଲଙ୍କାକାଣ୍ଡ, ଛାତ୍ରୀଙ୍କ ପରିବାରକୁ ସଙ୍ଘବଦ୍ଧ ଆକ୍ରମଣ


ନିମାପଡ଼ା: କମେଣ୍ଟମରାକୁ ନେଇ ଛାତ୍ରୀଙ୍କ ପରିବାରକୁ ସଂଘବଦ୍ଧ ଆକ୍ରମଣ । ପୁରୀ ଜିଲ୍ଲା ନିମାପଡ଼ା ଥାନା ଅଞ୍ଚଳରେ ଘଟିଛି ଘଟଣା । କିଛି ଅସାମାଜିକ ଯୁବକଙ୍କ ରଚିଛନ୍ତି ଆତଙ୍କ । ଛାତ୍ରୀଙ୍କ ଘରେ ପଶି ପୂରା ପରିବାରକୁ କରିଛନ୍ତି ଆକ୍ରମଣ । ଆକ୍ରମଣରେ ୬ ଜଣ ଗୁରୁତର ହୋଇଛନ୍ତି ।

ଛାତ୍ରୀ ଜଣକ କଲେଜରୁ ଘରକୁ ଫେରୁଥିବା ସମୟରେ ଦ୍ରୁତଗତିରେ ବାଇକରେ ଆସି ସାଇଡ ମାରିବା ସହ ଅଶ୍ଲୀଳ ଇଙ୍ଗିତ କରିଥିଲେ କିଛି ଯୁବକ।  ବବୁଲ ଭୋଇ, କାଳନ୍ଦୀ ଭୋଇ, ଟବୁଲ ଭୋଇ, ଚୀନୁ ଭୋଇ, ବିସ୍ମୟ ଭୋଇ ଅଶ୍ଲୀଳ ଇଙ୍ଗିତ କରିଥିଲେ । ଛାତ୍ରୀ ଜଣଙ୍କ ଏହାର ପ୍ରତିବାଦ କରିବା ସହିତ ଏନେଇ ନିଜ ପରିବାର ଲୋକଙ୍କୁ ଜଣାଇଥିଲେ । ଘରେ ଜଣାଇବାରୁ ଯୁବକମାନେ ରକ୍ତମୁଖା ସାଜିଥିଲେ ।

ହାତରେ ବିଭିନ୍ନ ମାରଣାସ୍ତ୍ର ଧରି ଛାତ୍ରୀଙ୍କ ଘରେ ପଶିବା ସହିତ ସମସ୍ତଙ୍କୁ ସଂଘବଦ୍ଧ ଆକ୍ରମଣ କରିଥିଲେ । ଆକ୍ରମଣରେ ଛାତ୍ରୀଙ୍କ ସମେତ ତାଙ୍କ ମାଆ, ବାପା, ବଡ଼ବାପା, ବଡ଼ମାଆ ଓ ବଡ଼ ଭଉଣୀ ଗୁରୁତର ହୋଇଛନ୍ତି । ସମସ୍ତଙ୍କୁ ନିମାପଡ଼ା ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି । ବଡ଼ବାପାଙ୍କ ଅବସ୍ଥା ଅଧିକ ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ବର ସ୍ଥାନାନ୍ତର କରାଯାଇଛି । ଏନେଇ ନିମାପଡ଼ା ଥାନାରେ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ଅଭିଯୋଗ ଆଧାରରେ ପୋଲିସ ତଦନ୍ତ ଚଳାଇଛି ।