୪୦ ପରିବାରକୁ ମାତ୍ର ଗୋଟିଏ ନଳକୂପ : ସକାଳ ପାଇଲେ ପାଣି ପାଇଁ ଅଶାନ୍ତି ଆରମ୍ଭ : ସମାଧାନ ପାଇଁ ଦାବୀ


ବାଲିଗୁଡା ,ତା, ୨୦/୦୨: (ସଞ୍ଜୟ କୁମାର ପାଣିଗ୍ରାହୀ): ଆଗକୁ ଆସୁଛି ଗ୍ରୀଷ୍ମ ପ୍ରବାହ । ହେଲେ ତାହା ପୂର୍ବରୁ ଦେଖା ଦେଇଛି ପାଣି ସମସ୍ୟା । ପାଣି ପାଇଁ ସାହିରେ ଦେଖା ଦେଇଛି ଅଶାନ୍ତି, ସକାଳ ହେଲେ ଝଗଡ଼ା ହେଉଛନ୍ତି ମହିଳା । ଦାରିଙ୍ଗବାଡି ପଞ୍ଚାୟତ ଅନ୍ତର୍ଗତ ଗାର୍ଗାବାଡ଼ି ଗ୍ରାମରେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି । ଗାର୍ଗାବାଡ଼ି ଗ୍ରାମ ବ୍ଲକ ତଥା ପଞ୍ଚାୟତ ହେଡ କ୍ୱାଟର ଠାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ଅବସ୍ଥିତ । ହେଲେ ଏହି ଗାଁକୁ ଦେଖିଲେ ମନେ ହେଉଛି ଦୀପ ତଳ ଅନ୍ଧାର ଭଳି । ଏହି ଗାଁରେ ୪୦ ପରିବାର ବସବାସ କରୁଥିବା ବେଳେ ପାନୀୟ ଜଳର ଘୋର ସମସ୍ୟା ଦେଖା ଦେଇଛି । ୪୦ ପରିବାରକୁ ମାତ୍ର ଗୋଟିଏ ନଳକୂପ ରହିଛି । ନା କୂଅ ଅଛି ନା ଚୂଆଁ । ଗୋଟିଏ ନଳକୂପ ଉପରେ ହିଁ ପିଇବା ପାଇଁ ଏବଂ ଗାଧୋଇବା ସହ ଅନ୍ୟାନ୍ୟ ବ୍ୟବହାର ପାଇଁ ନିର୍ଭର କରିବାକୁ ପଡୁଛି । ଫଳରେ ସକାଳୁ ସକାଳୁ ନଳକୂପରେ ଲାଗି ଯାଉଛି ଲମ୍ବା ଲାଇନ୍‌ । ଶୀଘ୍ର ପାଣି ନେବା ପାଇଁ ଆରମ୍ଭ ହେଉଛି ପ୍ରତିଯୋଗିତା। ଫଳରେ ମହିଳାଙ୍କ ମଧ୍ୟରେ ଝଗଡ଼ା ଦେଖାଦେଉଛି । ପାଣି ପାଇଁ ସାହିରେ ପ୍ରତ୍ୟେକ ଦିନ ଅଶାନ୍ତି ଦେଖା ଦେଉଛି । ଉକ୍ତ ନଳକୂପରୁ ପାଣି ସଠିକ୍ ଭାବେ ବାହାରୁ ନଥିବା ବେଳେ ୨ ବାଲଟି ବାହାରିବା ପରେ ଆଉ କିଛି ସମୟ ଯାଏଁ ପାଣି ବାହାରୁନି । ପୁଣି କିଛି ସମୟ ଅପେକ୍ଷା କରିଲେ ପାଣି ବାହାରୁଛି । ଫଳରେ ମହିଳା ମାନେ ପାଣିକୁ ଅପେକ୍ଷା କରି ଦିନ ସରି ଯାଉଛି । କାମ ଧନ୍ଦାକୁ ସଠିକ୍ ଭାବେ ଯାଇ ପାରୁନାହାନ୍ତି । ଅନ୍ୟ ପଟେ ଜଳ ଯୋଗାଣ ନେଇ ବ୍ୟବସ୍ଥା ରହିଥିଲେ ସୁଦ୍ଧା ସପ୍ତାହକୁ ମାତ୍ର ଗୋଟିଏ ଦିନ ଜଳ ଯୋଗାଣ ହେଉଛି । ତାହା ପୁଣି ୨ ରୁ ୪ ମିନିଟ । ଫଳରେ ଲୋକେ ସଠିକ୍ ମାତ୍ରାରେ ଜଳ ପାଇ ପାରୁନାହାନ୍ତି । ଏଭଳି ଭାବେ ପାଣି ପାଇଁ ରହିଛି ଅନେକ ସମସ୍ୟା । ଏଣୁ ଗାଁରେ ଆଉ ୨ ଟି ନଳକୂପ ଖୋଳି ଦେଲେ ଲୋକେ ଉପକୃତ ହୋଇ ପାରିଥାନ୍ତେ ବୋଲି ମହିଳା ମାନେ ଦାବି କରିଛନ୍ତି ।