ମୁମ୍ବାଇ: ମହାରାଷ୍ଟ୍ରରେ ମହାୟୁତି କନ୍ଦଳ ଧୀରେ ଧୀରେ ତେଜିବାରେ ଲାଗିଛି । ଏପରିକି ଉପମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ନାଲିଆଖି ମହାୟୁତିର ଭବିଷ୍ୟତ ଉପରେ ପ୍ରଶ୍ପବାଚୀ ସୃଷ୍ଟି କରିଛି । ସେ କହିଛନ୍ତି, ତାଙ୍କୁ ହାଲୁକା ଭାବେ କେହି ନିଅନ୍ତୁ ନାହିଁ । ୨୦୨୨ରେ ତାଙ୍କୁ ସମସ୍ତେ ହାଲୁକା ଭାବେ ନେଇଥିଲେ । ମାତ୍ର ସେ ତତକାଳୀନ ଉଦ୍ଧବ ଠାକରେ ସରକାରର ପତନ ଘଟାଇବାକୁ ସକ୍ଷମ ହୋଇଥିଲେ । ସିନ୍ଦେ ମୁଖ୍ୟମନ୍ତ୍ରୀ ଥିବାବେଳେ ଜଲନାରେ ଅନୁମୋଦନ କରିଥିବା ୯୦୦ କୋଟି ଟଙ୍କାର ପ୍ରକଳ୍ପକୁ ବର୍ତ୍ତମାନର ଫଡଣବିସ ସରକାର ରଦ୍ଦ କରି ଦେବା ପରେ ସିନ୍ଦେ ଏପରି କହିଛନ୍ତି ।
ସିନ୍ଦେ ଆହୁରି ମଧ୍ୟ କହିଛନ୍ତି, ସେ ଜଣେ ସାଧାରଣ ଦଳୀୟ କର୍ମୀ । ସେ ମଧ୍ୟ ବାଲାସାହେବଙ୍କ ଆଦର୍ଶରେ ଅନୁପ୍ରାଣୀତ ଜଣେ କର୍ମୀ । ତେଣୁ ତାଙ୍କୁ ହାଲୁକା ଭାବେ ଗ୍ରହଣ କରିବା ଅନୁଚିତ । ସୂଚନାଯୋଗ୍ୟ, ୨୦୨୨ରେ ୪୦ ବିଧାୟକଙ୍କୁ ନେଇ ମୂଳ ଶିବସେନାରୁ ଅଲଗା ହୋଇଥିବା ସିନ୍ଦେଙ୍କୁ ପ୍ରକୃତ ଶିବସେନାର ମାନ୍ୟତା ମିଳିଥିଲା । ଏହାସହ ସେ ଉଦ୍ଧବ ଠାକରେଙ୍କୁ ଗାଦିରୁ ହଟାଇ ବିଜେପି ସମର୍ଥନରେ ମୁଖ୍ୟମନ୍ତ୍ରୀ ହୋଇଥିଲେ । ୨୮୮ ଆସନ ବିଶିଷ୍ଟ ମହାରାଷ୍ଟ୍ର ବିଧାନସଭାରେ ବିଜେପିର ୧୩୨, ଶିବସେନାର ୫୭ ଓ ଅଜିତ ପାୱାର ନେତୃତ୍ବାଧୀନ ଏନସିପିର ଅଛନ୍ତି ୪୧ ବିଧାୟକ ।