ଚାମ୍ପିୟନ୍ସ ଟ୍ରଫି: ପାକିସ୍ତାନଠାରୁ ୨୦୧୭ର ବଦଲା ୨୦୨୫ରେ ନେଲା ଭାରତ


ଭୁବନେଶ୍ବର: ୨୦୧୭ ବଦଲାର ପ୍ରତିଶୋଧ ୨୦୨୫ରେ । ୨୦୧୭ ଚାମ୍ପିଅନ୍ସ ଟ୍ରଫି ଫାଇନାଲ୍ ପରାଜୟର ହିସାବ ୨୦୨୫ ଏହି ଚାମ୍ପିୟନ୍ସ ଟ୍ରଫିରେ ପାକିସ୍ତାନକୁ ହରାଇ ନେଇଛି ଟିମ୍‌ ଇଣ୍ତିଆ । ଗତକାଲି ଦୁବାଇରେ ଖେଳାଯାଇଥିବା ଗ୍ରୁପ୍ ମ୍ୟାଚରେ ୬ ୱିକେଟ୍‌ରେ ଜିତିନେଇଛି ଭାରତ । ଭାରତର ବଡ଼ ବିଜୟ ସହ ଏକ ପ୍ରକାର ଚାମ୍ପିଅନ୍ସ ଟ୍ରଫିରୁ ବିଦା ହୋଇଯାଇଛି ପାକିସ୍ତାନ । ଟିମ୍‌ ଇଣ୍ତିଆଠାରୁ ହାରିବା ସହ ଚାମ୍ପିଅନ୍ସ ଟ୍ରଫିର ଆଶା ଏକ ପ୍ରକାର ଶେଷ ହୋଇ ଯାଇଛି କହିଲେ ଚଲେ । ଏପଟେ ଟିମ୍‌ ଇଣ୍ତିଆ ବିଜୟ ସହ ସେମିଫାଇନାଲକୁ ଯିବା ପକ୍କା କରିଛି । ବିରାଟ କୋହଲି ୧୧୧ ବଲ୍‌ରେ ୧୦୦ ରନ୍‌ କରିଛନ୍ତି ।

ଏପଟେ ସୁପର ସଣ୍ଡେର ସୁପର ଫାଇଟରେ ଆରମ୍ଭରୁ ଫେଲ୍‌ ମାରିଥିଲେ ପାକିସ୍ତାନର ବ୍ୟାଟ୍‌ର । ଟିମ୍‌ ଇଣ୍ତିଆ ବୋଲରଙ୍କ ଆଗରେ ଧୂଳି ଚାଟିଥିଲେ ପାକିସ୍ତାନର ବ୍ୟାଟିଂ ଅର୍ଡ଼ର । ଟିମ୍‌ ଇଣ୍ତିଆକୁ ୨୪୨ ରନ୍‌ର ଟାଗେର୍ଟ ଦେଇଥିଲେ ପାକିସ୍ତାନ ।

ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିବାକୁ ମୈଦାନକୁ ଓହ୍ଲାଇଥିବା ପାକିସ୍ତାନ ଓପନର୍‌ ଯୋଡ଼ି ଆରମ୍ଭରୁ ଫେଲ୍‌ ହୋଇଥିଲେ । ପ୍ରଥମେ ହାର୍ଦ୍ଦିକଙ୍କ ଶିକାର ହୋଇଥିଲେ ବାବର ଆଜମ । ୨୬ ବଲ୍‌ ଖେଳି ୨୩ ରନ୍‌ କରିଥିଲେ ବାବର ଆଜମ । ସେହିପରି ଇମାମ-ଉଲ-ହକଙ୍କୁ ରନ୍‌ ଆଉଟ୍‌ କରି ପାଭିଲି୍ୟନ ପଠାଇ ଦେଇଥିଲେ ଅକ୍ସର ପଟେଲ୍‌ । ତେବେ ସାଉଦ ଶକିଲ ସର୍ବାଧିକ ୭୬ ବଲ୍‌ ଖେଳି ୬୨ ରନ୍‌ କରିଥିବା ବେଳେ ପାକିସ୍ତାନ ଅଧିନାୟକ ମହମ୍ମଦ ରିଜୱାନ ୭୭ ବଲ୍‌ ଖେଳି ୪୬ ରନ୍‌ କରିଥିଲେ ।