ସ୍ତ୍ରୀ କୁ ଚେଙ୍କଦେଇ ସ୍ୱାମୀ ଗିରଫ


ବେଲଗୁଣ୍ଠା, 06/05, ଗଞ୍ଜାମ ଜିଲ୍ଳା ଗାଙ୍ଗପୁର ଥାନା ଅନ୍ତର୍ଗତ କ୍ଷତ୍ରିୟବରପୁର ଗ୍ରାମର ରାମକୃଷ୍ଣ ତ୍ରିପାଠି (42) ନିଜ ସ୍ତ୍ରୀ ପଙ୍କଜିନୀ ତ୍ରିପାଠିଙ୍କ ପିଚା ତଳକୁ ଗତ ଏକ ତାରିଖରେ ଚେଙ୍କ ଦେଇଥିଲା I ଏନେଇ ପଙ୍କଜିନୀ ଗାଙ୍ଗପୁର ଥାନାରେ ଏତାଲା ଦେବାପରେ ପୋଲିସ୍ ରାମକୃଷ୍ଣଙ୍କୁ ଖୋଜୁଥିଲା I ଆଜି ରାମକୃଷ୍ଣ ଘରେ ଥିବାର ଖବର ପାଇ ପୋଲିସ୍ ରାମକୃଷ୍ଣଙ୍କୁ ଗିରଫ କରିଥିବା ବେଳେ ରାମକୃଷ୍ଣର ମାଆ ତଥା ପଙ୍କଜିନୀଙ୍କ ଶାଶୁ ହରପ୍ରିୟା ତ୍ରିପାଠି ନାମରେ ମଧ୍ୟ ମାମଲା ରହିଛି I ହରପ୍ରିୟା ବର୍ତ୍ତମାନ ଘରେ ନଥିବାରୁ ତାକୁ ଗିରଫ କରାଯାଇପାରି ନାହିଁ I ଏନେଇ 328/23 ରେ ଏକ ମାମଲା ରୁଜୁ କରି ଗାଙ୍ଗପୁର ଥାନା ଏସ୍ଆଇ ଶୁଭ୍ରଜିତ୍ ସାମନ୍ତରାୟ ଘଟଣାର ତଦନ୍ତ କରୁଛନ୍ତି I ଆଜି ରାମକୃଷ୍ଣକୁ ଆସିକା କୋର୍ଟଚାଲାଣ କରାଯାଇଥିବା ପୋଲିସ୍ ସୂତ୍ରରୁ ପ୍ରକାଶ I ପଙ୍କଜିନୀ ଜଣେ ଅତି ସରଳ ସ୍ଵଭାବର ମହିଳା ହୋଇଥିବାରୁ ତାଙ୍କୁ ଉଭୟ ସ୍ୱାମୀ ଏବଂ ଶାଶୁ ବହୁଦିନ ହେବ ଅତ୍ୟାଚାର କରି ଆସୁଥିଲେ ବୋଲି ସେ ଏତଲାରେ ଦର୍ଶାଇଛନ୍ତି I