ଗଞ୍ଜାମ/ସମ୍ବଲପୁର/ପୁରୀ: ଗଞ୍ଜାମ ଜିଲ୍ଲାରେ ବିଜେଡି ଦୁଇ ଫାଳ ।ବିଜୁ ଜୟନ୍ତୀରେ ପଦାରେ ପଡିଲା ବିଜେଡିର କନ୍ଦଳ । ଆସିକାରେ ବିଜେଡି ପକ୍ଷରୁ ପୃଥକ ପୃଥକ ଭାବେ ପାଳିତ ହେଲା ବିଜୁ ଜୟନ୍ତୀ । ଯାହାକୁ ନେଇ ସାଧାରଣରେ ଚର୍ଚ୍ଚା ହେଉଛି ଯେ, ଏହା ବିରୋଧୀଙ୍କ ପାଇଁ ସମାଲୋଚନ କରିବାକୁ ସୁଯୋଗ ଆଣି ଦେଇଛି ।
ଆସିକା ନଗର ବିଜେଡି ସଭାପତି ସତ୍ୟନାରାୟଣ ସ୍ୱାଇଁ, ଆସିକା ଏନଏସି ଅଧ୍ୟକ୍ଷ ଓ ଏନଏସି ସଦସ୍ୟଙ୍କୁ ନେଇ ଆସିକା ବିଜୁ ପଟ୍ଟନାୟକ ଛକ ଠାରେ ବିଜୁ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରି ମିଷ୍ଟାନ୍ନ ବଣ୍ଟନ କରି ସ୍ମୃତିଚାରଣ କରିଥିଲେ । ସେଭଳି ଆସିକା ପୂର୍ବତନ ସାଂସଦ ପ୍ରମିଳା ବିଷୋୟୀ ଓ ପୂର୍ବତନ ବିଧାୟିକା ମଞ୍ଜୁଳା ସ୍ୱାଇଁ, କିଛି ନିର୍ବାଚିତ ପ୍ରତିନିଧି ବିଜେଡି କାର୍ଯ୍ୟାଳୟରୁ ବାହାରି ସ୍ଥାନୀୟ ବିଜୁ ପଟ୍ଟନାୟକ ଛକରେ ବିଜୁ ପ୍ରତିମୂର୍ତ୍ତି ଉପରେ ପୁଷ୍ପମାଲ୍ୟ ଅର୍ପଣ କରିଥିଲେ ।
ସେହିପରି ସମ୍ବଲପୁର ଜିଲ୍ଲା କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ମୁଖ୍ୟାଳୟ ଠାରେ ମଧ୍ୟ ପୃଥକ ପୃଥକ ଭାବେ ଦୁଇଟି ସ୍ଥାନରେ ବିଜୁ ଜୟନ୍ତୀ ପାଳିତ ହୋଇଛି । ଦୁଇଟି ସ୍ଥାନରେ ଗୋଟିଏ ଦଳର ନେତା ଓ କର୍ମୀ ଜୟନ୍ତୀ ପାଳନ କରୁଥିବାରୁ ଦଳ ମଧ୍ୟରେ ଫାଟ ସୃଷ୍ଟି ହୋଇଥିବା ନେଇ ଚର୍ଚ୍ଚା ହେଉଛି । ଅନ୍ୟପଟେ ପୁରୀରେ ମଧ୍ୟ ବିଜୁ ଜୟନ୍ତୀ ପୃଥକ ପୃଥକ ପାଳନ ହେବା ବିଜେଡି କନ୍ଦଳକୁ ପଦାରେ ପକାଇଛି । ସେପଟେ ବିଜୁ ପଟ୍ଟନାୟକଙ୍କ ରାଜ୍ୟ ସ୍ତରୀୟ ଜୟନ୍ତୀକୁ ଆସିଲେ ନାହିଁ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ । ବିଜେଡି ଏହି ଉତ୍ସବକୁ ବୟକଟ କରିଛି । ଏମିତି କି ବିଧାୟକ ଅନନ୍ତ ନାରାୟଣ ଜେନା, ସୁଶାନ୍ତ ରାଉତ ଓ ମେୟର ସୁଲୋଚନା ଦାସ ମଧ୍ୟ ଅନୁପସ୍ଥିତ ଥିଲେ । ପୂର୍ବରୁ ନିମନ୍ତ୍ରଣ ପତ୍ରରେ ଏମାନଙ୍କ ନାଁ ଥିବା ବେଳେ କାର୍ଯ୍ୟକ୍ରମରେ ଏମାନେ ଅନୁପସ୍ଥିତ ଥିଲେ । ପୂର୍ବରୁ ବିଧାନସଭାରେ ଆୟୋଜିତ ସଭାରେ ମଧ୍ୟ ବିରୋଧୀ ଦଳ ନେତା ଅନୁପସ୍ଥିତ ରହିଥିଲେ । ଜୟନ୍ତୀରେ ଯୋଗଦେଇ ନବୀନଙ୍କୁ ଚାର୍ଗେଟ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ମାଝି ।