ପରଲୋକରେ ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ଅନନ୍ତ ଦାସ । ଭୋଗରାଇର ପୂର୍ବତନ ବିଧାୟକ ଅନନ୍ତ ଦାସଙ୍କ ଦେହାନ୍ତ ହୋଇଛି । ଆଜି ଭୋର୍ ସାଢେ ୩ଟାରେ ସେ ଭୁବନେଶ୍ୱର ସ୍ଥିତ ବାସଭବନରେ ଶେଷ ନିଶ୍ୱାସ ତ୍ୟାଗ କରିଥିବା ତାଙ୍କ ପରିବାର ପକ୍ଷରୁ ସୂଚନା ଦିଆଯାଇଛି । ସେ ଦୀର୍ଘ ଦିନ ଧରି ବାର୍ଦ୍ଧକ୍ୟ ଜନିତ ରୋଗରେ ପୀଡ଼ିତ ହୋଇ ଭୁବନେଶ୍ବରର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ । ଆଜି ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ୪ଥର ବିଜେଡିରୁ ବିଧାୟକ ରହିଥିଲେ ଏହି ବରିଷ୍ଠ ରାଜନେତା ।
ଅନନ୍ତ ଦାସ ୨୦୦୪ରୁ ୨୦୧୯ ପର୍ଯ୍ୟନ୍ତ ୪ ଥର ବିଜୁ ଜନତା ଦଳରୁ ବିଧାୟକ ଥିଲେ । ୨୦୧୪ରେ ନବୀନ ସରକାରରେ ଉଚ୍ଚଶିକ୍ଷା ଓ ଶିଳ୍ପ ମନ୍ତ୍ରୀ ଭାବେ ଦାୟିତ୍ୱ ତୁଲାଇଥିଲେ । ସେ ଦୀର୍ଘ ଦିନ ହେଲା ଅସୁସ୍ଥ ଥିବାବେଳେ ଆଜି ଭୁବନେଶ୍ବର ସ୍ଥିତ ବାସଭବନରେ ଆଖି ବୁଜିଛନ୍ତି । ତାଙ୍କର ବିୟୋଗ ଖବର ରାଜନୈତିକ ମହଲରେ ଶୋକର ଛାୟା ଖେଳାଇ ଦେଇଛି ।
୧୯୪୦ ମସିହା ଅଗଷ୍ଟ ୨୮ ତାରିଖରେ ଅନନ୍ତ ଦାସ ବାଲେଶ୍ୱର ଜିଲ୍ଲା ଭୋଗରାଇ ବ୍ଲକ ଅନ୍ତର୍ଗତ ବାଲିମ ପଞ୍ଚାୟତର କୁରୁଠିଆ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ । ଭୋଗରାଇ ନିର୍ବାଚନ ମଣ୍ଡଳୀରୁ ଲଗାତାର ଭାବରେ ୨୦୦୪ ରୁ ୨୦୧୯ ପର୍ଯ୍ୟନ୍ତ ୪ ଥର ବିଜେଡିରୁ ବିଧାୟକ ହୋଇଥିଲେ । ପାଠ ପଢା ଶେଷ ହେବା ପରେ ସେ ଭଦ୍ରକରେ ଏଡିଏମ୍ ଭାବରେ କାର୍ଯ୍ୟ କରି ଅବସର ଗ୍ରହଣ କରିବା ପରେ ରାଜନୀତିରେ ପ୍ରବେଶ କରିଥିଲେ ।