ଭୁବନେଶ୍ବର: ଆସନ୍ତା ୨୪ ତାରିଖରେ ଓଡ଼ିଶା ଗସ୍ତରେ ଆସୁଛନ୍ତି ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ଏହି ଅବସରରେ ନୟାଗଡ଼ କଣ୍ଟିଲୋ ଯାଇ ପ୍ରଭୁ ନୀଳମାଧବଙ୍କ ଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି । ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ଆଇନ ଶୃଙ୍ଖଳା ବ୍ୟବସ୍ଥା, ଅସ୍ଥାୟୀ ହେଲିପ୍ୟାଡ ଓ ଅନ୍ୟାନ୍ୟ ବ୍ୟବସ୍ଥା ପରିଚାଳନା ନେଇ ସ୍ଥିତି ସମୀକ୍ଷା କରିଛନ୍ତି ନୟାଗଡ଼ ଜିଲ୍ଲାପାଳ ଓ ଏସପି ।
ସୂଚନାଯୋଗ୍ୟ, ରାଷ୍ଟ୍ରପତି ୨୪ ତାରିଖ ଦିନ ମଧ୍ୟାହ୍ନ ସାଢେ ଗୋଟାଏରେ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ସ୍ବତନ୍ତ୍ର ହେଲିକପ୍ଟର ଯୋଗେ କଣ୍ଟିଲୋ ନୀଳମାଧବ ମନ୍ଦିର ଗସ୍ତ କରିବେ । ସେଠାରେ ପୂଜାର୍ଚ୍ଚନା କରିବା ପରେ ଅନ୍ୟ କାର୍ଯ୍ୟକ୍ରମ ଯୋଗଦେବେ ।
ରାଷ୍ଟ୍ରପତି ଜଗନ୍ନାଥ ସଂସ୍କୃତିର ମୂଳପୀଠ ଭାପୁର ବ୍ଲକ ଅଧୀନ କାଳିଆପଲ୍ଲୀ ଜଙ୍ଗଲ ମଧ୍ୟରେ ଶବର ରାଜା ବିଶ୍ବାବସୁ ଓ ଲଲିତାଙ୍କ ଜନ୍ମମାଟି ପରଦର୍ଶନ କରିବାର କାର୍ଯ୍ୟକ୍ରମ ରହିଛି ।