Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପଶ୍ଚିମ ଓଡ଼ିଶାରେ ସୁନା ଖଣି !

ସମ୍ବଲପୁର:ପଶ୍ଚିମ ଓଡ଼ିଶାର ଅବିଭକ୍ତ ସମ୍ବଲପୁର ଜିଲ୍ଲାର ଦେବଗଡ଼ରେ ସୁନାଖଣିର ସନ୍ଧାନ ମିଳିଥିବା ବେଳେ ଅନୁଗୁଳ, ବୌଦ୍ଧ, ସମ୍ବଲପୁର ଓ ସୁନ୍ଦରଗଡ଼ ଜିଲ୍ଲାରେ ସୁନା ଖଣି ଥିବା ସୂଚନା ମିଳିଛି।
ଓଡ଼ିଶା ସରକାର ରାଜ୍ୟର ବିଭିନ୍ନ ଜିଲ୍ଲାରେ ସମ୍ଭାବ୍ୟ ସୁନା ଖଣି ଉପରେ ସକ୍ରିୟ ଅନୁସନ୍ଧାନ କରୁଥିବା ବେଳେ ପ୍ରାଥମିକ ସର୍ଭେରୁ କେତେକ କ୍ଷେତ୍ରରେ ଆଶାଜନକ ତଥ୍ୟ ମିଳିଛି।ଗୁରୁବାର ବିଧାନସଭାରେ ବିଧାୟକ ଚକ୍ରମଣି କହଁରଙ୍କ ଏକ ପ୍ରଶ୍ନର ଉତ୍ତର ଦେଇ ଖଣି ମନ୍ତ୍ରୀ ବିଭୂତି ଭୂଷଣ ଜେନା ଏଭଳି ସମ୍ଭାବ୍ୟ ସୂଚନା ଦେଇଛନ୍ତି।
ସୂଚନା ଅନୁଯାୟୀ, ଦେବଗଡ଼ ଜିଲ୍ଲାର ଅଦାସ-ରାମପଲ୍ଲୀ ଅଞ୍ଚଳରେ ଜି-୨ ସ୍ତରରେ ତମ୍ବା ଭଣ୍ଡାର ଅନୁସନ୍ଧାନ ବେଳେ ଭାରତୀୟ ଭୂତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା (ଜିଏସ୍ ଆଇ) ସୁନାର ଚିହ୍ନ ଠାବ କରିଛି। ସେହିପରି କେନ୍ଦୁଝର ଜିଲ୍ଲାର ଗୋପୁର-ଗଜିପୁର, ମାଙ୍କଡ଼ଚୁଆ, ସାଲେଇକାନା ଓ ଡିମିରିମୁଣ୍ଡା ଅଞ୍ଚଳରେ ସମ୍ଭାବ୍ୟ ସୁନା ଭଣ୍ଡାର ଚିହ୍ନଟ ପାଇଁ ଅନୁସନ୍ଧାନ କାର୍ଯ୍ୟ ଚାଲିଛି।ଅପାରପକ୍ଷରେ ମୟୂରଭଞ୍ଜ ଜିଲ୍ଲାର ବଡ଼ମ୍ପାହାଡ଼ ଅଞ୍ଚଳ ସମେତ ଯଶିପୁର, ସୁରିଆଗୁଡ଼ା, ରୁଆଁସି, ଇଡେଲକୁଚା, ମାରେଡିହି ଓ ସୁଲେଇପାଟ (ଧୁସୁରା ପାହାଡ଼) ଆଦି ସ୍ଥାନରେ ସୁନା ଭଣ୍ଡାର ଥିବା ନେଇ ପ୍ରାଥମିକ ସର୍ଭେ କରାଯାଉଛି।
ସେହିପରି ସୁନ୍ଦରଗଡ଼, ନବରଙ୍ଗପୁର, ଅନୁଗୁଳ, କୋରାପୁଟ, ମାଲକାନଗିରି, ସମ୍ବଲପୁର ଓ ବୌଦ୍ଧ ଜିଲ୍ଲାରୁ ସୁନା ଥିବାର ସନ୍ଧାନ ମିଳିଛି। ତେବେ ଏସବୁ ଅଞ୍ଚଳରେ ଏପର୍ଯ୍ୟନ୍ତ ବିସ୍ତୃତ ତଦନ୍ତ ହୋଇନାହିଁ ବୋଲି ମନ୍ତ୍ରୀ କହିଛନ୍ତି।
ତେବେ ବିଧାନସଭାରେ ମନ୍ତ୍ରୀଙ୍କ ଏହି ସୂଚନା ପରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ସୁନା ଖଣି ଥିବା ନେଇ ଅନୁମାନ ସତ ହୋଇପାରେ ବୋଲି ଖଣି ବିଶେଷଜ୍ଞ ମତ ଦେଉଛନ୍ତି।