Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବସନ୍ତରେ ନାଲି ଫୁଲ ଭରା ପଲାସ ମୋହୁଛି ମନ।ଫୁଲରେ ରହିଛି ପ୍ରଚୁର ଔଷଧିୟ ଗୁଣ।

ବର୍ଷର ୧୨ ମାସ କୁ ନେଇ ଛଅ ଋତୁ। ବସନ୍ତ ଋତୁ କୁ ଋତୁରାଜ ବସନ୍ତ ବୋଲି କୁହାଯାଉଥିବା ବେଳେ ତାର ଆଗମନ ରେ ପ୍ରକୃତି ରାଣୀ ନୂଆଁ ରୂପରେ ଝଲସି ଉଠେ। ଗୋଟେ ପଟେ ଶୀତ ଧୀରେ ଧୀରେ ଅପସରି ଯାଉଥିବା ବେଳେ ଖରା ଟାଣ ହୋଇ ଆସୁଥାଏ। ଗଛ ସବୁ ପତ୍ର ଝଡ଼ା ହୋଇ ନୂତନ ପଲ୍ଲବ ରେ ଆଚ୍ଛାଦିତ ହେବା ଆରମ୍ଭ କରନ୍ତି। ଏହି ସମୟରେ ବନ ଉପବନ ରେ ନାନା ପ୍ରକାର ର ଫୁଲ ଫୁଟି ମହକେ ତ କେତେ ଫୁଲ ସୁନ୍ଦର ଦିଶେ ସିନା ତାର ବାସ୍ନା ନଥାଏ। ବନ ଉପବନରେ ଏହି ସମୟରେ ନାଲି ଟହ ଟହ ପଲାସ ଫୁଲ ଦର୍ଶକ ଙ୍କ ମନ ମୋହିଥାଏ। ଏହି ପଲାସ ଫୁଲକୁ ନେଇ ଅନେକ କବି ଲେଖକ ତାଙ୍କ ଲେଖନି ଚାଳନା କରିଛନ୍ତି। କିଏ କିଏ ନାଲି ପଲାସ ଫୁଲକୁ ପ୍ରକୃତି ରାଣୀ ନାଲି ପାଟ ଶାଢୀ ପିନ୍ଧିଥିବା ବର୍ଣ୍ଣନା କରିଥିବା ବେଳେ କିଏ କିଏ ବିପ୍ଳବ ଓ ବିଦ୍ରୋହ ର ବହ୍ନି ଦେଖିଛନ୍ତି। କିଏ କିଏ ଉପହାସ କରି “ପଲାସ କୁସୁମ ଦିଶେ କେତେ ମନୋହର ବାସେ ନାହିଁ ବୋଲି ସେତ ପାଏନି ଆଦର” ବୋଲି ବି ଲେଖିଛନ୍ତି। ହେଲେ ପଲାସ ସତେ କେବେ କାହାର ପ୍ରଶଂସା କି ନିନ୍ଦାକୁ ସୁଣିନି, ପ୍ରତିବର୍ଷ ବସନ୍ତର ଆଗମନରେ ବିଭିନ୍ନ ଗଛ ସବୁ ପତ୍ରଝଡ଼ା ହୋଇ ନଣ୍ଡା ହୋଇଥିବା ବେଳେ ନାଲି ଟହ ଟହ ଫୁଲ୍ ଫୁଟି ବିନା ବାସ୍ନାରେ ବି ଭ୍ରମର କୁ ଆକର୍ଷିତ କରୁଥିବା ବେଳେ ରଙ୍ଗର ପର୍ବ ହୋଲି ର ବାର୍ତ୍ତା ଆଗୁଆ ଦେଇଥାଏ।
ପଲାସ ଗଛକୁ ସୃଷ୍ଟି କର୍ତ୍ତା ବ୍ରହ୍ମା ପାଦପ ରୂପ ବୋଲି ପୁରାଣ ରେ ବର୍ଣ୍ଣିତ ଥିବା ବେଳେ, ବର ପିପଲ୍ ଗଛ ଭଳି ଧର୍ମୀୟ ସମ୍ମାନ ଓ ପୂଜନ ବିଧି ରହିଛି। ଏହାର ଫୁଲକୁ ମାଁ ମଙ୍ଗଳାଙ୍କୁ ପୂଜା କରାଯାଇଥାଏ। ସେହି ପରି ଶିବଙ୍କୁ ମଧ୍ୟ ଅର୍ପଣ କରାଯାଏ। ହେଲେ ଅନ୍ୟ କୌଣସି ଦେବୀ ଦେବତାଙ୍କୁ ଏହି ଫୁଲରେ ପୂଜା କରିବାର ବିଧି ନଥିବା ଶୁଣାଯାଏ।
ଏହି ପଲାସ ଗଛଟି ଜଙ୍ଗଲ, ଜଙ୍ଗଲ ପାଖ, ଚାଷ ଜମି ହିଡରେ ବହୁ ପରିମାଣ ରେ ଦେଖାଯାଉଥିବା ବେଳେ ଗଛ ଓ ଫୁଳ ର ଅନେକ ଔଷଧୀୟ ଗୁଣ ଥିବାରୁ ଫୁଲକୁ ବୈଦ୍ୟ ମାନେ ସଂଗ୍ରହ କରି ରଖିବା ସହିତ ବିଭିନ୍ନ ଔଷଧ ପ୍ରସ୍ତୁତ କରିଥାନ୍ତି। ପଲାସ ଫୁଲ୍ ଖାଇଲେ ପେଟ ଥଣ୍ଡା ହେଉଥିବା ବେଲେ ଶୁଖିଲା ଫୁଲ୍ ର ଗୁଣ୍ଡ ସହ ମିଶ୍ରି ମିଶାଇ ସେବନ କଲେ ପଥୁରୀ, ବିଭିନ୍ନ ପ୍ରକାର ମୂତ୍ର ବିକାର ଆଦି ଉପଶମ ହେଉଥିବା ବୈଦ୍ୟ ମାନେ କହିଥାନ୍ତି।
ଏହାର ଫୁଲ୍ ଯେ ଔଷଧୀୟ ଗୁଣ ପାଇଁ କେବଳ ବ୍ୟବହାର ହୁଏ ତାହା ନୁହଁ, ପ୍ରାକୃତିକ ରଙ୍ଗ, ଲୁଗାକୁ ନାରଙ୍ଗୀ ରଙ୍ଗର ରେ ରଙ୍ଗାଇବା, ଅବିର, ଫେସ୍ ପାଉଡର, କସମେଟିକ ପାଉଡର ଆଦି ରୁପେ ମଧ୍ୟ ବ୍ୟବହାର ହୋଇଥାଏ। ପଲାସ ଗଛ ଡ଼ାଳ କୁ ବ୍ରାହ୍ମଣ ମାନଙ୍କ ବ୍ରତୋପନୟନ୍ ସମୟରେ ଖୋଜା ପଡେ ସେହି ପରି ବିଭିନ୍ନ ହୋମ ସମୟରେ ସମିଧ ଭାବରେ ବ୍ୟବହାର କରାଯାଇଥାଏ। ଏହି ଗଛଟି ପ୍ରାକୃତିକ ଭାବରେ ମାଟିରେ ଉଠୁଥିବା ବେଳେ ଏହାକୁ ଚାରାରୋପଣ କି ରକ୍ଷଣା ବେକ୍ଷଣ କରିବାର ଆବଶ୍ୟକତା ନ ଥାଏ।
ପୂର୍ବରୁ ଏହି ଗଛ ବହୁ ପରିମାଣ ରେ ଦେଖାଯାଉଥିବା ବେଳେ ଏବେ ଏହାର ସଂଖ୍ୟା କମିକମି ଯାଉଛି।
ସିଏ ଯାହା ହେଉ ପଲାସ୍ ଗଛକୁ ନେଇ ହିନ୍ଦୁ ଧର୍ମ ଓ ଶାସ୍ତ୍ର ଉପରେ ସ୍ଵତନ୍ତ୍ର ସ୍ଥାନ ରହିଛି।